ଗୋଷ୍ଠୀ ସହଭାଗିତା ଉତ୍ସବ ଅବସରରେ ସିଏମସି ପକ୍ଷରୁ ବଣ୍ଟାଗଲା ୩୦୨ ସାଇକେଲ
କଟକ : ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଗୋଷ୍ଠୀ ସହଭାଗିତା ଉତ୍ସବ ପାଳନ ଅବସରରେ ଆଜି କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ୩୦୨ ବାଇ-ସାଇକେଲ ବଣ୍ଟନ କରାଯାଇଛି । ସିଏମସି ପରିସରରେ ଥିବା କଲ୍ୟାଣମଣ୍ଡପରେ ଆଜି ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମେୟର ସୁବାସ ସିଂହ କାର୍ଯ୍ୟକ୍ରମରେ ପୈାରୋହିତ୍ୟ କରିଥିଲେ ଏବଂ କମିଶନର ନିଖିଲ ପୱନ କଲ୍ୟାଣ ପରିଚାଳନା କରିଥିଲେ ।ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟସ୍ତରୀୟ ସାଇକେଲ ବିତରଣ ଉତ୍ସବ ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ପ୍ରଦର୍ଶନ କରାଯାଇଥିଲା । ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଥିବା ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଉପରୋକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଚୈାଧୁରୀବଜାରସ୍ଥିତ ସିଏମସି ପରିସରରେ ଥିବା କଲ୍ୟାଣମଣ୍ଡପରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମେୟରଙ୍କ ସମେତ ଡେପୁଟି ମେୟର ଦମୟନ୍ତୀ ମାଝି, ସମସ୍ତ ୱାର୍ଡର କର୍ପୋରେଟର, କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ କାର୍ଯ୍ୟରତ ଜଳସାଥୀ, ଆହାର କର୍ମୀ, ସ୍ୱଚ୍ଛସାଥୀ, ସ୍ୱଚ୍ଛକର୍ମୀ ଓ ସ୍ୱଚ୍ଛ ସୁପରଭାଇଜରମାନଙ୍କୁ ସାଇକେଲ ବିତରଣ କରିଥିଲେ । କାର୍ଯ୍ୟକ୍ରମରେ ସିଏମସିର ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ ଡେପୁଟି କମିଶନର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ସାଇକେଲ ବଣ୍ଟନ କରାଯିବା ପରେ ମହିଳା ସ୍ୱୟଂ ସହାୟିକାମାନଙ୍କ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି ମେୟର ଶ୍ରୀ ସିଂହ ଗଣମାଧ୍ୟମକୁ କହିଛନ୍ତି ।
