ଦୃଷ୍ଟିବାଧିତ ମହିଳା କ୍ରିକେଟରଙ୍କୁ ସମ୍ବର୍ଦ୍ଧିତ କଲେ ଜିଲାପାଳ
ବାଲେଶ୍ୱର : ବାଲେଶ୍ୱର ଜିଲା କଲେକ୍ଟୋରେଟ କାର୍ଯ୍ୟାଳୟରେ ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ ଟିମ୍ର ସଦସ୍ୟ ଭାବେ ମନୋନୀତ ହୋଇଥିବା ଜିଲାର ଦୁଇ ଦୃଷ୍ଟିବାଧିତ ମହିଳା କ୍ରିକେଟର ଫୁଲ ସୋରେନ ଓ ପଦ୍ମିନୀ ଟୁଡୁଙ୍କୁ ସମ୍ବର୍ଦ୍ଧିତ କଲେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ । ସେମାନଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିବା ସହିତ ୩୦,୦୦୦/- ଲେଖାଏଁ ଟଙ୍କାର ଚେକ୍ ପ୍ରଦାନ କରିଥିଲେ ଜିଲାପାଳ ଶ୍ରୀ ଶିନ୍ଦେ ।
ଭୋଗରାଇ ଅଞ୍ଚଳର ପଦ୍ମିନୀ ଟୁଡୁ ଓ ରେମୁଣା ଗୋଲେଇ ଅଞ୍ଚଳର ଫୁଲ ସୋରେନ ଭାରତୀୟ ଦଳରେ ସାମିଲ ହୋଇ ନେପାଳ ଠାରେ ଖେଳିବାକୁ ଯାଉଥିବାରୁ ଜିଲାପାଳ ସେମାନଙ୍କର ସଫଳତା କାମନା କରିବା ସହିତ ଶୁଭ ମନାସି ଥିଲେ । ବାଲେଶ୍ୱର ଜିଲାର ଦୁଇ ଜଣ ଏଭଳି ଜାତୀୟ ଦଳରେ ଚୟନ ହେବା ଜିଲା ପାଇଁ ଗୌରବର ବିଷୟ ଏବଂ ଏଥିପାଇଁ ଜିଲା ବାସୀଙ୍କ ମଧ୍ୟରେ ଖୁସି ଖେଳି ଯାଇଛି । ପ୍ରକାଶ ଥାଉକି ଏହି ଅବସରରେ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା ଉପସ୍ଥିତ ରହି କ୍ରିକେଟରଙ୍କୁ ଉତ୍ସାହିତ କରିଥିଲେ ।
