ଏଣିକି ବିନା ଇଣ୍ଟରନେଟରେ ପଠାଇପାରିବେ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା
ନୂଆଦିଲ୍ଲୀ : ଗତ କିଛି ବର୍ଷ ମଧ୍ୟରେ ଭାରତରେ ଡିଜିଟାଲ କାରବାର ବହୁତ ବୃଦ୍ଧି ପାଇଛି । ବର୍ତ୍ତମାନ ଭାରତରେ କୋଟି କୋଟି ଲୋକ ନଗଦ ବଦଳରେ ଡିଜିଟାଲ କାରବାର କରିବାକୁ ପସନ୍ଦ କରନ୍ତି । ବିଶେଷକରି କୋରୋନା କାଳରେ ନଗଦ ବ୍ୟବହାର କମ୍ ହେବାକୁ ଲାଗିଛି, କାରଣ କୋରୋନା ବିସ୍ତାର ହେବାର ଭୟ ରହିଥିଲା । ଲୋକଙ୍କୁ ଏହି କୋରୋନା ଭୟ ମଧ୍ୟ ଡିଜିଟାଲ୍ ମାଧ୍ୟମରେ କାରବାର କରିବାକୁ ଉତ୍ସାହିତ କରିଛି, ଯାହା ଭାରତର ଆର୍ଥିକ ଦୃଷ୍ଟିକୋଣରୁ ଠିକ୍ ଥିଲା । କିନ୍ତୁ ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ ଡିଜିଟାଲ୍ କାରବାର ପାଇଁ ଆପଣଙ୍କର ଇଣ୍ଟରନେଟ୍ ରହିବା ଆବଶ୍ୟକ । ବେଳେବେଳେ ଇଣ୍ଟରନେଟ୍ ଅଭାବ ହେତୁ କିମ୍ବା କାରବାର ସମୟରେ ସ୍ଲୋ ଇଣ୍ଟରନେଟ୍ ଯୋଗୁଁ ଆମର ଟଙ୍କା ପ୍ରାପ୍ତକର୍ତ୍ତାଙ୍କ ନିକଟରେ ପହଞ୍ଚେ ନାହିଁ ଓ ଆମକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ ।
ଭାରତରେ ଅନେକ ଗ୍ରାମ ଓ ଅଞ୍ଚଳ ଅଛି ଯେଉଁଠାରେ ଆଜି ମଧ୍ୟ ଇଣ୍ଟରନେଟ୍ ସୁବିଧା ନାହିଁ । ଗ୍ରାମ ଓ ସହରାଞ୍ଚଳରେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୋମବାର ଅଫଲାଇନ ଡିଜିଟାଲ ପେମେଣ୍ଟ ପାଇଁ ଏକ ରୂପରେଖା ଜାରି କରିଛି । ଡିଜିଟାଲ ପେମେଣ୍ଟକୁ ଆରବିଆଇ ମଞ୍ଜୁରୀ ପ୍ରଦାନ କରିଛି । ବର୍ତ୍ତମାନ ଅଫଲାଇନ୍ ପେମେଣ୍ଟ ଅନ୍ତର୍ଗତ ୨୦୦ ଟଙ୍କା ପର୍ଯ୍ୟନ୍ତ କାରବାରକୁ ଅନୁମତି ଦିଆଯାଇଛି । ଏଥିରେ ସର୍ବାଧିକ ୧୦ଟି ନେଣଦେଣ ଅର୍ଥାତ ମୋଟ ୨,୦୦୦ ଟଙ୍କା ଅଫଲାଇନ ଟ୍ରାଞ୍ଜେକ୍ସନର ଅନୁମତି ହେବ । ଅଫଲାଇନ୍ ଡିଜିଟାଲ୍ ପେମେଣ୍ଟ ଅର୍ଥାତ ଯେଉଁଥିରେ ଇଣ୍ଟରନେଟ୍ କିମ୍ବା ମୋବାଇଲ୍ ନେଟୱାର୍କର ଆବଶ୍ୟକତା ହେବ ନାହିଁ । ଏହି ଅଫଲାଇନ୍ ଉପାୟରେ ପେମେଣ୍ଟ କାର୍ଡ, ୱାଲେଟ୍ ଏବଂ ମୋବାଇଲ୍ ମାଧ୍ୟମରେ କରିହେବ ।
ଆରବିଆଇ କହିଛି ଯେ, ଏଭଳି ନେଣଦେଣରେ ‘ଆଡିଶନ୍ ଫ୍ୟାକ୍ଟର୍ ଅଫ୍ ଅଥଣ୍ଟିକେଶନ୍’ (ଏଏଫଏ) ଆବଶ୍ୟକ ହେବ ନାହିଁ । ଯେହେତୁ ପେମେଣ୍ଟ ଅଫଲାଇନରେ ହେବ, ଗ୍ରାହକଙ୍କୁ ସ୍ୱଳ୍ପ ବ୍ୟବଧାନ ପରେ ଏସଏମଏସ କିମ୍ବା ଇ-ମେଲ ମାଧ୍ୟମରେ ‘ଆଲର୍ଟ’ ମିଳିବ । ଆରବିଆଇ ଦ୍ୱାରା ଜାରି କରାଯାଇଥିବା ରୂପରେଖା ଅନୁଯାୟୀ, ଏଥିରେ ପ୍ରତ୍ୟେକ ନେଣଦେଣର ସୀମା ୨୦୦ ଟଙ୍କା ହେବ । ଏହାର ମୋଟ ସୀମା ୨,୦୦ ଟଙ୍କା ହେବ, ଅଫଲାଇନ୍ ପେମେଣ୍ଟ ସେପ୍ଟେମ୍ବର ୨୦୨୦ରୁ ଜୁନ୍ ୨୦୨୧ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ପାଇଲଟ୍ ଭିତ୍ତିରେ ଆରମ୍ଭ ହୋଇଥିଲା । ପ୍ରାପ୍ତ ମତାମତ ଉପରେ ଆଧାର କରି ଏହି ଢାଞ୍ଚା ପ୍ରସ୍ତୁତ କରାଯାଇଛି । ଆରବିଆଇ ଆହୁରି ମଧ୍ୟ କହିଛି ଯେ, ଅଫଲାଇନ୍ ପେମେଣ୍ଟ ଦୁର୍ବଳ ଇଣ୍ଟରନେଟ୍ ସଂଯୋଗ ଥିବା ଅଞ୍ଚଳରେ ଡିଜିଟାଲ କାରବାରକୁ ଉତ୍ସାହିତ କରିବ । ବିଶେଷକରି ଗାଁ ଓ ସହରରେ ଏହାକୁ ଉତ୍ସାହିତ କରିବ । ଏହି ବ୍ୟବସ୍ଥା ତତ୍କାଳ ପ୍ରଭାବରେ ଲାଗୁ ହୋଇଯାଇଛି । କିନ୍ତୁ, ଆପଣଙ୍କୁ କହି ରଖୁଛୁ ଯେ କେନ୍ଦ୍ରୀୟ ବ୍ୟାଙ୍କ ସ୍ପଷ୍ଟ ଭାବରେ କହିଛି ଯେ ଅଫଲାଇନ୍ ପେମେଣ୍ଟ କେବଳ ଗ୍ରାହକଙ୍କ ଅନୁମତି ପରେ ବ୍ୟବହାର କରାଯାଇପାରିବ ।
