କୋଭିଡରେ ଆକ୍ରାନ୍ତ ହେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ : ଜାତୀୟ ରାଜଧାନୀରେ ଲଗାତାର କୋରୋନା ମାମଲା ବୃଦ୍ଧି ପାଉଛି। ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଆପ ମୁଖ୍ୟ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି। ଗତ କିଛି ଦିନ ମଧ୍ୟରେ ତାଙ୍କ ସ୍ପର୍ଶରେ ଆସିଥିବା ଲୋକଙ୍କୁ କୋରୋନା ପରୀକ୍ଷା କରିବାକୁ ସେ ଅନୁରୋଧ କରିଥିଲେ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାୱ ଟ୍ୱିଟ କରି କହିଛନ୍ତି, “ମୋର କୋରୋନା ରିପୋର୍ଟ ପଜିଟିଭ୍ ଆସିଛି। ସାମାନ୍ୟ ଲକ୍ଷଣ ଅଛି। ମୁଁ ନିଜକୁ ଘରେ ଅଲଗା କରିରଖିଛି। ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ଯୋଗାଯୋଗ କରିଥିଲେ, ଦୟାକରି ନିଜକୁ ପୃଥକ କରନ୍ତୁ ଏବଂ ନିଜର କୋଭିଡ୍ ପରୀକ୍ଷା କରନ୍ତୁ।” ଗତ କିଛି ସପ୍ତାହ ହେବ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପଞ୍ଜାବ, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ଧୂଆଁଧାର ନିର୍ବାଚନ ପ୍ରଚାର କରୁଛନ୍ତି। ସୋମବାର ସେ ଡେରାଡୁନରେ ଆପ୍ ପକ୍ଷରୁ ଆୟୋଜିତ ନବପରିବର୍ତ୍ତନ ସଭାରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ରବିବାର ସେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବିଶାଳ ରାଲି କହିଥିଲେ।
ସୂଚନା ଯେ, ଦିଲ୍ଲୀରେ କ୍ରମାଗତ ଭାବେ କରୋନାର ଗ୍ରାଫ୍ ବୃଦ୍ଧି ପାଉଛି। ପଜିଟିଭ୍ ରେଟ ୫ ପ୍ରତିଶତ ହୋଇଛି। ସୋମବାର ଦିଲ୍ଲୀରେ ୪୦୦୦ରୁ ଅଧିକ ନୂତନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହି ସମୟରେ ଜାତୀୟ ରାଜଧାନୀ ରେଡ୍ ଆଲର୍ଟରେ ରହିଛି। ସିନେମାହଲ, ମେଟ୍ରୋ ଓ ଅନ୍ୟାନ୍ୟ ଗତିବିଧି ଉପରେ କଟକଣା ଲାଗିଛି।
