ଆସନ୍ତା ୨୪ ଘଣ୍ଟା ପାଇଁ ୧୦ ଜିଲାକୁ ୟେଲୋ ୱାର୍ଣ୍ଣି
- ଲଘୁଚାପ ପ୍ରଭାବରେ ଅଭ୍ୟନ୍ତରରେ ଅଧିକ ବର୍ଷିବା ସମ୍ଭାବନା
ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ସଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଅଧିକାଂଶ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି । ଆଗାମୀ ୨୪ ଘଣ୍ଟା ପାଇଁ ୧୦ ଜିଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ନୂଆପଡା, ବଲାଙ୍ଗିର, ସୋନପୁର, ବରଗଡ, ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ ଓ ଦେବଗଡ ଆଦି ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିଭଳି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ତଥା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ଏଣୁ ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ନ ଯିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଲଘୁଚାପ କ୍ଷେତ୍ର ଆଗାମୀ ୪୮ ଘଣ୍ଟାରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଏହାଛଡ଼ା ମୌସୁମୀ ଜନିତ ନିମ୍ନଚାପ ରେଖା ଫିରୋଜପୁରରୁ ବାହାରି ଦିଲ୍ଲୀ, ବାରଣାସି, ରାଞ୍ଚି, କେନ୍ଦୁଝର ଓ ଲଘୁଚାପ କେନ୍ଦ୍ରର ମଧ୍ୟ ଦେଇ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ଲମ୍ବିଛି। ଆଉ ଏକ ନିମ୍ନଚାପରେ ଏହି ଲଘୁଚାପ କ୍ଷେତ୍ରର କେନ୍ଦ୍ରରୁ ବାହାରି ସମୁଦ୍ର ପତ୍ତନଠାରୁ ୧.୫ କିମି ଉପରେ ତାମିଲନାଡୁ ଯାଏ ଲମ୍ବିଛି। ଏହି ୩ ପ୍ରକାର ପାଣିପାଗର ନିୟାମକ ତଥା ମୁଖ୍ୟତଃ ଲଘୁଚାପର ପ୍ରଭାବରେ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ ବୋଲି କେନ୍ଦ୍ର କହିଛି।
