ଫକୀରମୋହନ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଛାତ୍ର ଦିବସ ଓ କାଲାମ୍ ଜୟନ୍ତୀ ପାଳିତ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଭାରତର ପୂର୍ବତନ ରାଷ୍ଟ୍ରପତି ମିସାଇଲ୍ ମାନବ ଭାରତରତ୍ନ ଡ. ଏପିଜେ ଅବଦୁଲ୍ କାଲାମ୍ଙ୍କ ୯୧ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଶ୍ୱ ଛାତ୍ର ଦିବସ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଛାତ୍ରୀଛାତ୍ରମାନେ କାଲାମ୍ଙ୍କ ଆଦର୍ଶରେ ଅନୁପ୍ରାଣିତ ନିଜ ସ୍ୱପ୍ନକୁ ସାକାର କରିବା ପର୍ଯ୍ୟନ୍ତ ପ୍ରଚେଷ୍ଟା ଜାରି ରଖିବା ଲାଗି ଉପଦେଶ ଦେଇଥିଲେ ।
କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଆଇଟିଆର୍ ଚାନ୍ଦିପୁରର ଅତିରିକ୍ତ ନିର୍ଦ୍ଦେଶକ ବୈଜ୍ଞାନିକ ଡ. ନିଳାଦ୍ରୀ ରାୟ କାଲାମ୍ଙ୍କ ସହିତ କାଟିଥିବା ସମୟର ସ୍ମୃତିଚାରଣ କରିବା ସହିତ କାଲାମ୍ଙ୍କ ଜୀବନଶୈଳୀ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ୍ ଚନ୍ଦ୍ର ଅଧିକାରୀ କାଲାମ୍ଙ୍କ ଜୀବନୀ ଉପରେ ସଂକ୍ଷେପରେ ବର୍ଣ୍ଣନା କରି କାଲାମ୍ଙ୍କ ଦ୍ୱାରା ରଚିତ ପୁସ୍ତକଗୁଡ଼ିକ ଛାତ୍ରୀଛାତ୍ରଙ୍କ ଜୀବନ ଗଢ଼ିବାରେ ସହାୟକ ହେବ ବୋଲି ମତପୋଷଣ କରିଥିଲେ । ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଡ. ସନ୍ତୋଷ କୁମାର ଅଗ୍ରୱାଲ୍ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିବା ସହିତ ବିଶ୍ୱ ଛାତ୍ର ଦିବସ ଉପରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଶେଷରେ ଅତିଥିମାନଙ୍କୁ ଡ. ରାଜୀବ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମଟିକୁ ଡ. ବିବେକାନନ୍ଦ ନାୟକ ପରିଚାଳନା କରିଥିଲା ବେଳେ ହିମାଂଶୁ ଭୂଷଣ ନାୟକ ଓ ପଦାର୍ଥବିଜ୍ଞାନ ବିଭାଗର ଛାତ୍ରୀଛାତ୍ରମାନେ ଆୟୋଜନ କରିବାରେ ସହାୟତା କରିଥିଲେ ।
