ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ବିଶ୍ୱସ୍ୟାସ୍ଥ୍ୟ ଦିବସ ପାଳନ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ବିଶ୍ୱସ୍ୟାସ୍ଥ୍ୟ ଦିବସ ପାଳନ ଅବସରରେ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟକେନ୍ଦ୍ର ଓ ପୁରାତନ ଛାତ୍ର ସଂସଦର ମିଳିତ ଆନୁକୂଲ୍ୟରେ “ଛାତ୍ରୀ ଏବଂ ମହିଳା କର୍ମଚାରୀଙ୍କ ପାଇଁ କମ୍ପ୍ୟୁଟରୀକରଣ ହେମୋଗ୍ଲୋବିନ୍ ଆକଳନ” ବିଷୟକ ଏକ ସ୍ୱାସ୍ଥ୍ୟଶିବିର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ଏହି ଦିବସର ମୁଖ୍ୟ ଥିମ୍ ରହିଥିଲା “ସ୍ୱାସ୍ଥ୍ୟ ସଭିଙ୍କ ପାଇଁ” ବା “ହେଲଥ୍ ଫର୍ ଅଲ୍” ।
କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏହାକୁ ଉଦ୍ଘାଟନ କରିଥିଲେ ଏବଂ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ କଥନର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ । ଏଥିରେ ବିଶ୍ୱବିଦ୍ୟାଳୟର ମହିଳା କର୍ମଚାରୀ ଓ ଛାତ୍ରୀମାନେ ବିପୁଳ ସଂଖ୍ୟାରେ ଉପସ୍ଥିତ ରହି ପ୍ରାୟ ୧୫୦ ଜଣ କମ୍ପ୍ୟୁଟରୀକୃତ ରକ୍ତ ପରୀକ୍ଷା କରାଇ ନିଜନିଜର ସ୍ୱାସ୍ଥ୍ୟବସ୍ଥା ପରଖିଥିଲେ । ଏହି ପ୍ରସଙ୍ଗରେ ସ୍ନାତକୋତ୍ତର ପରିଷଦର ସମ୍ମିଳନୀ କକ୍ଷରେ ଏକ ସାଧାରଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶ୍ୱବିଦ୍ୟାଳୟର ପୁରାତନଛାତ୍ର ସଂସଦର ସଭାପତି ଡା. ଚୌଧୁରୀ ସତ୍ୟବ୍ରତ ନନ୍ଦ, ସମ୍ପାଦକ ଡ. ଦେବଦତ୍ତ ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ, ବିଶ୍ୱବିଦ୍ୟାଳୟର ଡା. ସୋମା ନନ୍ଦ, କୁଳସଚିବ କୁକୁମୀନା ଦାସ ପ୍ରମୁଖ ଉପସ୍ଥିତ ରହି ବର୍ତ୍ତମାନର ପରିବର୍ତ୍ତିତ ସମାଜ ବ୍ୟବସ୍ଥାରେ ଦେଖାଦେଉଥିବା ସ୍ୱାସ୍ଥ୍ୟସମସ୍ୟା ସହିତ ଅବଗତ ହୋଇ କିପରି ସଚେତନ ରହିବାକୁ ହେବ ସେ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଫେସର ମୁନେଶ୍ ଚନ୍ଦ୍ର ଅଧିକାରୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଡ. ଦେବଦତ୍ତ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଡ. ମୀନତି ମିଶ୍ର ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ ।
