ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ : ପ୍ରଥମ ଦିବସରେ ଦେବକୀ-ବାସୁଦେବ ବିବାହ ମଞ୍ଚସ୍ତ
ବରଗଡ଼ (ମଥୁରାନଗରୀ) : ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧୁନଯାତ୍ରା । ବିଶାଳ ମୁକ୍ତାକାଶ ରଙ୍ଗମଂଚରେ କଳା ପ୍ରଦର୍ଶନ କରୁଛନ୍ତି କଳାକାର । ଚାଲିଛି ରାମଜୀ ମନ୍ଦିରରେ ଦେବକୀ ଏବଂ ବସୁଦେବଙ୍କ ବିବାହ । ଦେବବାଣୀରେ କମ୍ପୁଛି ମଥୁରାପୁରୀ । ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସ ସିଂହାସନ ଆରୋହଣ କରିବେ । ସିମହାସନ ଆରୋହଣ ପରେ ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣ କରିବେ କ୍ରୂର କଂସ । ଏହି ଦୃଶ୍ୟ ଉପଭୋଗ କରିବାକୁ ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ଜମିଛି ।
ଚଳିତବର୍ଷ ଧନୁଯାତ୍ରାର ୭୫ ତମ ବର୍ଷ ପୂର୍ତିରେ ହୀରକ ଜୟନ୍ତୀ ପାଳନ ହେଉଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସିସିଟିଭି ନଜରରେ ରହିଛି ଗହଳିପୂର୍ଣ୍ଣ ସ୍ଥାନ । ଯାତ୍ରା ପାଇଁ ଜଣେ ଏସପି, ୬ ଜଣ ଡିଏସପି, ୧୪ ଇନସ୍ପେକ୍ଟରଙ୍କ ସହ ୧୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବରଗଡ଼ ଏସପି ସୂଚନା ଦେଇଛନ୍ତି ।
୭୫ତମ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ହୀରକ ଜୟନ୍ତୀ ସମାରୋହ ଆଜି ହାଟପଦା ସ୍ଥିତ ରାଜ ଦରବାର ଠାରେ ଉଦଘାଟିତ ହୋଇଯାଇଛି। ରାଜକୀୟ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାନେତ୍ରୀ ମୋନୀଷା ବାନାର୍ଜୀ, ଜିଲା ଏସପି ତଥା ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରୀ ସଭାପତି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ ଦୀପ ପ୍ରଜ୍ବଳନ ଓ ଫିତା କାଟି ଉଦଘାଟନ କରିଥିଲେ। ସମିତିର ଆବାହକ ସୁରେଶ୍ଵର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ମାନେ ମଥୁରାନଗରୀର ଉନ୍ନତି ସଂପର୍କରେ ସୂଚନା ଦେଇଥିଲେ। ଶେଷରେ ରାଜଦରବାରର ଆବାହକ ରାଜେନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରଥମ ଦିବସରେ ଦେବକୀ ବସୁଦେବଙ୍କ ବିବାହ, ଦୈବିବାଣୀ, ଉଗ୍ରସେନ ମହାରାଜାଙ୍କୁ ଗାଦିଚ୍ୟୁତ କରି ଯୁବ ରାଜା କଂସଙ୍କ ସିଂହାସନ ଆରୋହଣ, ଦେବକୀ ବସୁଦେବଙ୍କୁ ମହାରାଜା କଂସଙ୍କ ଦ୍ଵାରା କାରାଗାର ପ୍ରେରଣ ଆଦି ଦୃଶ୍ୟ ସହରର ବିଭିନ୍ନ ସ୍ଥାନରେ ଅଭିନିତ ହୋଇଥିଲା।
