‘ବିଶ୍ୱ ପୃଥିବୀ ଦିବସ’ : ଜାଣନ୍ତୁ ଏହା କେବେଠୁ ଓ କାହିଁକି ପାଳନ ହେଉଛି
ଆଜି ବିଶ୍ବ ପୃଥିବୀ ଦିବସ । ୧୯୭୦ ମସିହାରୁ ଆଜି ପର୍ଯ୍ୟନ୍ତ ଦିନଟିକୁ ଆମ ବାସସ୍ଥାନ ପୃଥିବୀ ପାଇଁ ପାଳନ କରାଯାଉଥିବା ବେଳେ ବିଶ୍ବର ପ୍ରତିଟି ଜୀବଜନ୍ତୁ, ଅନ୍ତେବାସୀ ଓ ପରିବେଶ ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ବିଭିନ୍ନ ସ୍ଥାନରେ ଏଥିପାଇଁ ସଚେତନତା କା୍ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଲୋକେ ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ମଧ୍ୟ ନେଇଛନ୍ତି। ବିଶ୍ବର ୧୯୨ରୁ ଅଧିକ ଦେଶରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଥିବା ବେଳେ ଚଳିତ ବର୍ଷର ଥିମ ରହିଛି ‘ପ୍ରୋଟେକ୍ଟ ଦ ସ୍ପେସିଜ’।
ସଂପ୍ରତି ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ଓ ମଣିଷର ଅମାନୁଷିକ କାର୍ଯ୍ୟକଳାପ ଯୋଗୁଁ ଜୈବ ବିବିଧତା ବିପର୍ଯ୍ୟସ୍ତ । ସର୍ବୋପରି ମଣିଷର ସ୍ୱେଚ୍ଛାଚାରୀ କାର୍ଯ୍ୟକଳାପ ଯୋଗୁଁ ଧରିତ୍ରୀ ମାତାର ସୁରକ୍ଷା ପାଇଁ ସଙ୍କଟ ଆଣିଦେଇଛି। ଏହାର ପ୍ରତିକାର ପାଇଁ ଏହି ଦିନରେ ପ୍ରକୃତିର ସୁରକ୍ଷା ଓ ରକ୍ଷଣାବେକ୍ଷଣ କରିବା ନେଇ ସମସ୍ତେ ପ୍ରତିଜ୍ଞାବଦ୍ଧ ହେବା ଆବଶ୍ୟକ। ନିଜ କର୍ତ୍ତବ୍ୟକୁ ମନେ ପକାଇବା ପାଇଁ ଏହି ଦିନଟି। ନିଜେ ବଞ୍ଚିବା ସହ ପୃଥିବୀରେ ବାସ କରୁଥିବା ଅନ୍ୟ ଜୀବ ଓ ପ୍ରାଣୀମାନଙ୍କୁ ମଧ୍ୟ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ। ପଲିଥିନ, ପ୍ଲାଷ୍ଟିକ୍ର ବ୍ୟବହାର ବନ୍ଦ କରିବା ସହ ପ୍ରଦୂଷଣ କମ୍ କରିବା ଓ ଗଛ ଲଗାଇବାକୁ ଲୋକଙ୍କୁ ଏହି ଦିବସ ମାଧ୍ୟମରେ ବାର୍ତ୍ତା ଦିଆଯାଏ। ପ୍ରତିବର୍ଷ ବିଶ୍ୱ ପୃଥିବୀ ଦିବସର ବିଷୟବସ୍ତୁ ଉପରେ ଏକ ନୂତନ ଥିମ୍ ରଖାଯାଏ। ଚଳିତ ବର୍ଷର ଥିମ ହେଉଛି ‘ଆମ ଗ୍ରହରେ ବିନିଯୋଗ’।
ଇତିହାସ :
ଆମରିକା କାଲିଫୋର୍ଣ୍ଣିଆର ସାନ୍ତାବାରବରାରେ ୧୯୬୯ ମସିହାରେ ଘଟିଥିଲା ଅଘଟଣ। ଜାନୁୟାରୀ ୨୨ ତାରିଖ ଦିନ ୩ନିୟୁତ ଗାଲନ ତେଲ ଝରି ସମୁଦ୍ରରେ ମିସିଥିଲା। ଫଳରେ ୧୦ ହଜାରରୁ ଊର୍ଦ୍ଧ୍ବ ସାମୁଦ୍ରିକ ପକ୍ଷୀଙ୍କ ସମେତ ଡଲଫିନ, ସିଲ ଓ ଅନ୍ୟ ସାମୁଦ୍ରିକ ପ୍ରାଣୀଙ୍କର ମୃତ୍ୟୁ ହୋଇଥିଲା। ତତ୍କାଳୀନ ଆମେରିକା ସିନେଟର ଗେଲର୍ଡ ନେଲସନଙ୍କୁ ଘଟଣା ବ୍ୟଥିତ କରିଥିଲା। ନେଲସନଙ୍କ ଆହ୍ବାନରେ ତା ପରବର୍ଷ ଅର୍ଥାତ ୧୯୭୦ ମସିହା ଏପ୍ରିଲ ୨୨ ତାରିଖରେ ଦେଶରେ ପ୍ରଥମ ଥର ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଥିବା ବେଳେ ଏଥିରେ ୨ କୋଟିରୁ ଅଧିକ ଆମେରିକୀୟ ଯୋଗଦେଇଥିଲେ। ପରିବେଶ ସୁରକ୍ଷା ଦିଗରେ ଏହାଥିଲା ବିଶ୍ବର ପ୍ରଥମ ପଦକ୍ଷେପ। ଆମେରିକାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ପାଇଁ ବିଭିନ୍ନକାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ କ୍ରମେ ଏହା ବିଶ୍ବରେ ଲୋକପ୍ରୀୟତା ଅର୍ଜନ କରିବା ସହ ଓ୍ବାର୍ଲଡ ଆର୍ଥ ଡେ ଭାବେ ପାଳିତ ହେଉଛି।
ଆର୍ଥ ଡେ ପାଳନ ସତ୍ତ୍ବେ ମଧ୍ୟ ବିଶ୍ବପ୍ରତି ବିପଦ କମି ନାହିଁ। ଜୀବଜଗତ ପାଇଁ ଗ୍ଲୋବାଲ ଓ୍ବାର୍ମିଂ ପାଲଟିଛି ଚିନ୍ତାର କାରଣ।ପୃଥିବୀର ତାପମାତ୍ରା ବୃଦ୍ଧି ପାଗ ପରିବର୍ତ୍ତନର କାରଣ ହୋଇଥିବା ବେଳେ ଏଥି ପାଇଁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଉଛି। କେଉଁଠି ବର୍ଷବର୍ଷ ଧରି ମରୁଡି ଭଳି ପରିସ୍ଥିତି ଲାଗି ରହୁଥିବା ବେଳେ ଅଚାନକ ବନ୍ୟା ବ୍ୟାପକ ଧନଜୀବନ ହାନି କରୁଛି।
