ମହିଳା ଦିନିକିଆ ବିଶ୍ୱକପ : ବାଂଲାଦେଶକୁ ୫ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ
ୱେଲିଂଟନ: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ ୨୦୨୨ରେ ଅଷ୍ଟ୍ରେଲିଆର ଅପରାଜେୟ ଧାରା ଜାରି । ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍ରେ ବେଥ୍ ମୁନିଙ୍କ ଅପରାଜିତ ୬୬ ରନ୍ ବଳରେ ଅଷ୍ଟ୍ରେଲିଆ ୫ ୱିକେଟରେ ବାଂଲାଦେଶକୁ ହରାଇଛି । ୧୩୬ ରନ୍ର ସହଜ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ବିଶ୍ୱକପ ଟୁର୍ଣ୍ଣାମେଂଟରେ ସଂଘର୍ଷ କରିଥିଲା ।
ବିଶ୍ୱ ନମ୍ବର ୧ ଟିମ ମାତ୍ର ୭୨ ରନ୍ରେ ୫ ୱିକେଟ ହରାଇ ସଙ୍କଟରେ ପଡିଥିଲା । ମାତ୍ର ବେଥ୍ ମୁନି ପର ବ୍ୟାଟିଂ ଭାର ସମ୍ଭାଳିଥିଲେ ଓ ଟିମକୁ ବିଜୟୀ କରାଇଥିଲେ । ବାଂଲାଦେଶ ସ୍ପିନର ସଲମା ଖାତୁନ ଏକାକୀ ଅଷ୍ଟ୍ରେଲିଆର ଶକ୍ତିଶାଳୀ ଶୀର୍ଷକ୍ରମ ବ୍ୟାଟିଂକୁ ଧ୍ୱସ୍ତ କରିଥିଲେ ଓ ଟାଇଟେଲ ବିଜେତା ହେବାର ପ୍ରବଳ ଦାବିଦାର ଟିମର ସ୍କୋର ୨୬/୩ରେ ପହଂଚାଇ ଦେଇଥିଲେ । ଓପନର ଆଲେସା ହେଲି ୧୫, ରାଚେଇ ହେଇନ୍ସ ୭ ଓ କ୍ୟାପଟେନ୍ ମେଗ ଲାନିଙ୍ଗ୍ ୦ରେ ଆଉଟ୍ ହୋଇଥିଲେ । ତେବେ ମୁନି ୭୫ ବଲ୍ରୁ ୫ଟି ଚୌକା ସହାୟତାରେ ଧୈର୍ଯ୍ୟପୂର୍ଣ୍ଣ ୬୬ ରନ୍ର ମ୍ୟାଚ୍ ବିଜୟୀ ଇଂନିସ ଖେଳିଥିଲେ । ପୂର୍ବରୁ ଲତା ମଣ୍ଡଳ ୩୩ ଓ ସରମିନ ଅଖତରଙ୍କ ୨୪ ରନ୍ର ବଳରେ ୪୩ ଓଭରରେ ୬ ୱିକେଟ ହରାଇ ୧୩୫ ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା ବାଂଲାଦେଶ । ଅଷ୍ଟ୍ରେଲିଆ ପୂର୍ବରୁ ମହିଳା ବିଶ୍ୱକପ ୨୦୨୨ର ସେମିଫାଇନାଲରେ ପ୍ରବେଶ କରିସାରି ଥିବାବେଳେ, ବାଂଲାଦେଶ ସେମି ଦୌଡରୁ ବାଦ୍ ପଡିଛି ।
