ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବିବାଦରେ ଦୂତୀ, ପରେ ଡିଲିଟ୍ କଲେ ପୋଷ୍ଟ
ଭୁବନେଶ୍ୱର/କଟକ : ଦେଶର ଦ୍ରୁତତମ ଧାବିକା ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟ ସରକାର କେବଳ ହକି ପଛରେ ଧାଇଁଛନ୍ତି, ଆଥଲେଟ୍ ସମେତ ଅନ୍ୟ ସମସ୍ତ କ୍ରୀଡ଼ାକୁ ଅଣଦେଖା କରୁଛନ୍ତି ବୋଲି ଦୂତୀ ଶୁକ୍ରବାର ଟ୍ୱିଟ୍ କରିଥିଲେ। ଅବଶ୍ୟ ସେ ଟ୍ୱିଟ୍ କରିବାର କେଇ ଘଣ୍ଟା ପରେ ଏହାକୁ ଡିଲିଟ୍ କରିଦେଇଥିଲେ। କିନ୍ତୁ ଦୂତୀଙ୍କ ଏହି ଟ୍ୱିଟ୍କୁ ନେଇ କ୍ରୀଡ଼ାବିତ୍ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିମ୍ବଦନ୍ତୀ ହକି ଖେଳାଳି ତଥା ପଦ୍ମଶ୍ରୀ ଦିଲୀପ ତିର୍କୀ ଏପରି ମନ୍ତବ୍ୟକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଦୂତୀଙ୍କ ପରି ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ରୀଡ଼ାବିତ୍ ନିଜ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇବା ନିହାତି ପରିତାପର ବିଷୟ ବୋଲି ଦିଲୀପ କହିବା ସହ ଏହା ରାଜ୍ୟର କ୍ରୀଡ଼ାବିତ୍ମାନଙ୍କୁ ନିରୁତ୍ସାହିତ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି। ଓଡ଼ିଶା ସରକାର ହକି ହେଉ କିମ୍ବା ଆଥଲେଟ୍ ଅବା ଅନ୍ୟ ଯେ କୌଣସି କ୍ରୀଡ଼ା, ସବୁ ବିଭାଗର ଉନ୍ନତି ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ଦିଲୀପ ଟ୍ୱିଟ୍ କରି କହିଛନ୍ତି।
ଏଥିସହ ଦୂତୀଙ୍କ ଡିଲିଟ୍ ହୋଇଥିବା ଟ୍ୱିଟ୍ର ଏକ ସ୍କ୍ରିନ୍ଶଟ୍ ମଧ୍ୟ ଦିଲୀପ ଶେୟାର୍ କରିଛନ୍ତି। ଏପରିକି ଦୂତୀଙ୍କ ଏକ ଆପତ୍ତିଜନକ ପ୍ରତିକ୍ରିୟାର ମଧ୍ୟ ସ୍କ୍ରିନ୍ ଶଟ୍ ସେ ଶେୟାର୍ କରିଛନ୍ତି। ସରକାରଙ୍କ ପ୍ରୋତ୍ସାହନ ସତ୍ତ୍ୱେ ରାଜ୍ୟର ଆଥଲେଟ୍ମାନେ କେବଳ ଗ୍ରାଁପ୍ରି’ ପ୍ରତିଯୋଗିତାରେ ବ୍ରୋଞ୍ଜ୍ ପଦକ ଜିତିବା ଲଜ୍ଜାକର ବିଷୟ ବୋଲି ଦୂତୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ରାଜ୍ୟ ସରକାର କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଗତ ୪ ବର୍ଷ ଭିତରେ ରାଜ୍ୟରୁ ଜଣେ ବି ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗୀ ବାହାରିପାରିନାହିଁ। ତେଣୁ ଏସବୁ କେବଳ ପ୍ରହସନ ବୋଲି ଦୂତୀ ଟ୍ୱିଟ୍ କରି କହିଥିଲେ।
ସେହିପରି ରାଜ୍ୟ ସରକାର କେବଳ ହକି ପଛରେ ପଡ଼ିଛନ୍ତି, ଏହା ବେଶୀଦିନ ଲାଷ୍ଟିଙ୍ଗ୍ କରିବ ନାହିଁ ଓ ଖୁବଶୀଘ୍ର ହକି ଷ୍ଟିକ୍ ଫାଟିଯିବ ବୋଲି ମଧ୍ୟ ଦୂତୀ ତାଙ୍କ ଟ୍ୱିଟ୍ରେ କହିଥିଲେ। ଏହାକୁ ନିନ୍ଦା କରି ଦୂତୀଙ୍କୁ ଦିଲୀପ ସମାଲୋଚନା କରିବା ସହ ଜଣେ କ୍ରୀଡ଼ାବିତ୍ ଭାବେ ଦୂତୀଙ୍କ ମନ୍ତବ୍ୟ ନିନ୍ଦାଜନକ ବୋଲି ଟ୍ୱିଟ୍ରେ କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ବଳରେ ହିଁ ଆଜି ଓଡ଼ିଶା ଦେଶର କ୍ରୀଡ଼ା ରାଜଧାନୀର ପରିଚୟ ପାଇପାରିଛି। କ୍ରୀଡ଼ା କ୍ଷେତ୍ରରେ ହକି ମଧ୍ୟ ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ଦେଇଛି ବୋଲି ଦିଲୀପ କହିବା ସହ ଅଲିମ୍ପିକ୍ସରେ ପଦକ ଜିତିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ ବୋଲି କହିଛନ୍ତି।
ସେହିପରି ଦୂତୀଙ୍କ ଏହି ଟ୍ୱିଟ୍ର ଜବାବରେ ସୋସିଆଲ୍ ମିଡିଆରେ ସକ୍ରିୟ ଥିବା ୟୁଜର୍ମାନେ ତାଙ୍କୁ ମିଳିଥିବା ସରକାରୀ ଅର୍ଥ ସରିଯାଇଥିବାରୁ ଏବେ ଆଉ ଟଙ୍କା ପାଇବା ପାଇଁ ଏହି ଆଥଲେଟ୍ଙ୍କର ଏହା ନୂଆ ଫନ୍ଦି ବୋଲି ମତ ଦେଇଛନ୍ତି। ସେହିପରି ଦୂତୀଙ୍କ ଏପରି ମନ୍ତବ୍ୟକୁ ଓଡ଼ିଶା ଫୁଟବଲ୍ ସଂଘ (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ନାପସନ୍ଦ କରିବା ସହ ତୁରନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି। ଆହୁରି ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ ସାଧାରଣ ସମ୍ପାଦକ ଅଭିଜିତ୍ ପଲ୍ ଏପରି ମନ୍ତବ୍ୟରୁ ଦୂତୀ ତୁରନ୍ତ ଓହରିଯିବାକୁ ଦାବି କରିଛନ୍ତି।
