ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସ୍ୱାମୀ, ଅଭିଯୋଗ ପରେ ସ୍ୱାମୀ ଫେରାର୍
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ଗୁରୁଜଙ୍ଗ ପତିତପାବନ ଛକ ନିକଟରେ ଅଭାବନୀୟ ଘଟଣା । ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ତଣ୍ଟିକାଟି ହତ୍ୟା କଲା ସ୍ୱାମୀ । ପରେ ଘଟଣାସ୍ଥଳରୁ ହତ୍ୟାକାରୀ ସ୍ୱାମୀ ଫେରାର ହୋଇଯାଇଛି । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକ ଜଣକ ହେଲେ ଇନ୍ଦିରା ପ୍ରିୟଦର୍ଶନୀ ମହାନ୍ତି ।
ଖୋର୍ଦ୍ଧା ଗୁରୁଜଙ୍ଗର ଇନ୍ଦିରା ପ୍ରିୟଦର୍ଶିନୀ ମହାନ୍ତି ୧୭ ବର୍ଷ ପୂର୍ବେ କାର୍ତ୍ତିକ ପ୍ରଧାନଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ କାର୍ତ୍ତିକ ଓ ଇନ୍ଦିରାଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା। ତେଣୁ କିଛି ଦିନ ତଳେ ଇନ୍ଦିରା ଆସି ତାଙ୍କ ବାପ ଘରେ ରହୁଥିଲେ। କୌଣସି କାରଣରୁ ଶନିବାର ରାତିରେ କାର୍ତ୍ତିକ ଓ ଇନ୍ଦିରାଙ୍କର ପୁଣି ଥରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କାର୍ତ୍ତିକ ତାଙ୍କ ସ୍ତ୍ରୀର ତଣ୍ଟିକାଟି ହତ୍ୟା କରିଛି। ଘଟଣାସ୍ଥଳରୁ ଅଭିଯୁକ୍ତ କାର୍ତ୍ତିକ ଫେରାର ହୋଇଯାଇଛି। ସେପଟେ ପରିବାର ପକ୍ଷରୁ ଅଭିଯୋଗ ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଅଧିକ ତଦନ୍ତ କରୁଛି । ସୂଚନା ଯେ, ସ୍ୱାମୀ ଓ ସ୍ତ୍ରୀ ଗୁରୁଜଙ୍ଗରେ ଭଡ଼ା ଘରେ ରହୁଥିବା ବେଳେ ସ୍ତ୍ରୀ ଉପରେ ସ୍ୱାମୀ କାର୍ତ୍ତିକ ପ୍ରଧାନ ଦୀର୍ଘ ଦିନ ଧରି ସନ୍ଦେହ କରୁଥିଲା । ଏପରିକି ଏହା ପୁର୍ବରୁ ଆଉ ଥରେ ସ୍ତ୍ରୀକୁ ମାରିବାକୁ ସ୍ୱାମୀ ଷଡ଼ଯନ୍ତ୍ର କରିଥିଲା । ହେଲେ କୌଣସି କାରଣ ବସତଃ ସ୍ତ୍ରୀ ବଞ୍ଚି ଯାଇଥିଲା । ହେଲେ ସେହି ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ଗ୍ରାମବାସୀମାନେ କହିଛନ୍ତି ।
