ଯେଉଁ ଜେଲରେ ବନ୍ଦ ଅଛନ୍ତି ଆର୍ଯ୍ୟନ ଖାନ, ସେଠାରେ ଦିନ ବିତାଇ ଥିଲେ ସଞ୍ଜୟ ଦତ୍ତ ଓ ଆଜମଲ କସାବ
ମୁମ୍ବାଇ : ମୁମ୍ବାଇରେ ସମୁଦ୍ର ଭିତରେ ଜାହାଜରେ ଡ୍ରଗ୍ସ ପାର୍ଟି ଘଟଣାରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏବେ ଜେଲରେ ରହିଛନ୍ତି । ଗତ ୩ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା। ଅକ୍ଟୋବର ୮ ତାରିଖର ଶୁଣାଣୀରେ କୋର୍ଟ ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଫଳରେ ତାଙ୍କୁ ଆର୍ଥର ଜେଲରେ ଏବେ ରଖାଯାଇଛି। ତାଙ୍କ ସହିତ ଅନ୍ୟ ୮ ଜଣ ଅଭିଯୁକ୍ତ ମଧ୍ୟ ଅଛନ୍ତି। ସମସ୍ତଙ୍କୁ ୧ ନମ୍ବର ବାରାକରେ ସଂଗରୋଧରେ ରଖାଯାଇଛି। ସମସ୍ତଙ୍କୁ ଜେଲର ନିମୟ ପାଳନ କରିବାକୁ ପଡିବ ଏବଂ ଜେଲର ଖାଦ୍ୟ ଖାଇବାକୁ ହେବ।
ଆର୍ଯ୍ୟନ ଖାନ ମୁମ୍ବାଇର ସର୍ବ ପୁରାତନ ଜେଲରେ ଅଛନ୍ତି। ଆର୍ଯ୍ୟନ ଯେଉଁଠି ଅଛନ୍ତି, ଏଠାରେ ଆହୁରି ଜଣାଶୁଣା ଲୋକ ଦିନ କାଟିଛନ୍ତି। ୧୯୯୩ ମସିହାରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ବୋମା ବିସ୍ଫୋରଣ ଘଟଣାରେ ଏହି ଜେଲରେ ରହିବାକୁ ପଡ଼ିଥିଲା। ତାଙ୍କୁ ୧୦ ନମ୍ବର ବାରାକରେ ରଖାଯାଇଥିଲା। ଏହା ‘ଅଣ୍ଡା’ ସେଲର ନିକଟତର ଥିଲା। ଏଠାରେ ଆବୁ ଜିନ୍ଦଲକୁ ରଖାଯାଇଥିଲା। ସେହିପରି ଶୀନା ବୋରା ହତ୍ୟା ଘଟଣାରେ ମୁଖ୍ୟ ସନ୍ଦିଗ୍ଧ ପୀଟର ମୁଖାର୍ଜୀଙ୍କୁ ମଧ୍ୟ ଆର୍ଥର ଜେଲରେ ରଖାଯାଇଥିଲା। ପରେ ପାକିସ୍ତାନୀ ଆତଙ୍କବାଦୀ ଆଜମଲ କସାବକୁ ମଧ୍ୟ ଏହି ଜେଲରେ ଭର୍ତ୍ତି କରାଯାଇଥିଲା। ଆଜମଲ କସାବ ୨୦୦୮ ମୁମ୍ବାଇ ଆକ୍ରମଣ ଘଟଣା ସହିତ ଜଡ଼ିତ ଥିଲା। କସାବ ପାଖାପାଖି ୧୬୬ ଲୋକଙ୍କୁ ଗୁଳି କରିଥିଲା। ଏହି ଗୁଳିମାଡ଼ରେ ପାଖାପାଖି ୬୦୦ ଲୋକ ଆହତ ହୋଇଥିଲେ। ପୁଣେରେ ୨୦୧୨ ନଭେମ୍ବରରେ କସାବକୁ ଫାଶୀ ହୋଇଥିଲା। ଆତଙ୍କବାଦୀ ଆବୁ ସାଲେମ ମଧ୍ୟ ୧୯୯୩ ବୋମା ବିସ୍ଫୋରଣ ଘଟଣାରେ ଏହି ଜେଲରେ ଭର୍ତ୍ତି ହୋଇଥିଲା। ସେହିପରି ଏହି ଘଟଣାର ଅନ୍ୟତମ ସହଯୋଗୀ ମୁସ୍ତଫା ଡୋସା, ଅଣ୍ଡର ୱାର୍ଲ୍ଡ ଡନ ଛୋଟା ରାଜନ ଓ ଅରୁଣ ଗାଭଲୀ ଏହି ଜେଲରେ ଦିନ କାଟିଥିଲେ।
ସୂଚନା ଯେ, ତେବେ ଜେଲରେ ରହିବା ସମୟରେ ଅଭିଯୁକ୍ତଙ୍କୁ କୌଣସି ପ୍ରକାରର ସୁବିଧା ଦିଆଯିବ ନାହିଁ। ଆର୍ଯ୍ୟନ୍ ଖାନଙ୍କ ବିଷୟରେ ଏହାକୁ ନେଇ ବହୁତ ଚର୍ଚ୍ଚା ହେଉଛି, କାରଣ ସେ ଜଣେ ସୁପରଷ୍ଟାରଙ୍କ ପୁଅ । କିନ୍ତୁ ତାଙ୍କୁ କୌଣସି ପ୍ରକାରର ଅଲଗା ସୁବିଧା ଦିଆଯିବ ନାହିଁ । ଏନେଇ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ ସମାନ ଖାଦ୍ୟ ଖାଇବାକୁ ପଡ଼ିବ। ତେବେ ଜେଲରେ ରହିବା ସମୟରେ ଆର୍ଯ୍ୟନ୍ ଖାନଙ୍କ ସମ୍ପୂର୍ଣ୍ଣ ରୁଟିନ୍ ବାକି କଏଦୀଙ୍କ ପରି ରହିବ। ଆର୍ଯ୍ୟନ୍ ଏବଂ ଅରବାଜ୍ ଜେଲର ପ୍ରଥମ ମହଲାରେ ରହିବେ। ଏହାପୂର୍ବରୁ ଜେଲର ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ ନୂଆ ଅଭିଯୁକ୍ତଙ୍କୁ ୦୩ ରୁ ୫ଦିନ ଯାଏଁ କ୍ୱାରାଣ୍ଟିନ ସେଲରେ ରଖାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ୟୁନିଫର୍ମ ଦିଆଯାଇ ନାହିଁ। ଜେଲରେ ଆର୍ଯ୍ୟନ୍ ଖାନଙ୍କୁ କୌଣସି ବିଶେଷ ଦେଖା ଚାହାଁ କରାଯିବ ନାହିଁ। ଘରେ ରନ୍ଧା ଖାଦ୍ୟ ଖାଇବା ପାଇଁ ସେମାନଙ୍କୁ ପ୍ରଥମେ କୋର୍ଟରୁ ଅନୁମତି ନେବାକୁ ପଡିବ । ତେବେ କାହାରିକୁ ବାହାରର ଖାଦ୍ୟ ଦିଆଯିବ ନାହିଁ ବୋଲି କୋର୍ଟଙ୍କ କଡା ନିର୍ଦ୍ଦେଶ ରହିଛି। ଅନ୍ୟ କଏଦୀମାନଙ୍କ ପରି ଆର୍ଯ୍ୟନଙ୍କୁ ସକାଳ ୭ଟା ସୁଦ୍ଧା ଜେଲରେ ହୋଇଥିବା ବ୍ରେକଫାଷ୍ଟ ତାଙ୍କୁ ଖାଇବେ । ସେହିପରି ୧୧ଟା ବେଳକୁ ଲଞ୍ଚ ଓ ସନ୍ଧ୍ୟା ୬ଟା ସୁଦ୍ଧା ଡିନର ଆର୍ଥର ଜେଲ୍ରେ କଏଦୀଙ୍କୁ ମିଳିଥାଏ। ଯଦି ଆର୍ଯ୍ୟନ୍ ଜେଲ୍ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଉ ନାହାଁନ୍ତି, ଜେଲ କ୍ୟାଣ୍ଟିନରୁ ଅତିରିକ୍ତ ଟଙ୍କା ଦେଇ ନିଜ ପସନ୍ଦର ଖାଇବାର ଖାଇ ପାରିବେ। ଏଥିପାଇଁ ସେ ଘରୁରୁ ଟଙ୍କା ଅର୍ଡର ମାଧ୍ୟମରେ ଟଙ୍କା ପାଇପାରିବେ। ଖାଦ୍ୟ ପାଇବା ପରେ କଏଦୀମାନେ ବୁଲାବୁଲି କରିପାରିବେ କିନ୍ତୁ ଆର୍ଯ୍ୟନ୍ଙ୍କର କ୍ବାରେନ୍ଣ୍ଟାଇନ୍ ଶେଷ ନହେବା ପର୍ଯ୍ୟନ୍ତ ଅନୁମତି ମିଳି ନାହିଁ ।
