ୱିମ୍ବିଲଡନ୍-୨୦୨୧: ଚତୁର୍ଥ ରାଉଣ୍ଡରେ ପ୍ରବେଶ କଲେ ଫେଡରର
ଲଣ୍ଡନ : ୨୦ ଗ୍ରାଣ୍ଡସ୍ଲାମ୍ ଜିତିଥିବା ଟେନିସ୍ ଖେଳର ବାଦଶାହ ସ୍ବିଜରଲ୍ୟାଣ୍ଡର ରୋଜର ଫେଡେରର ବ୍ରିଟେନର କ୍ୟାମରୁନ ନୋରିଙ୍କୁ ମାତ ଦେଇଛନ୍ତି। ତୃତୀୟ ଗ୍ରାଣ୍ଡସ୍ଲାମ ଓ୍ବିମ୍ବଲଡନ୍ ଟେନିସ ଚାମ୍ପିୟନସିପ୍ରେ ପୁରୁଷ ସିଙ୍ଗଲ୍ସର ଚତୁର୍ଥ ରାଉଣ୍ଡରେ ୧୮ ଥର ପାଇଁ ପ୍ରବେଶ କରିଛନ୍ତି ଫେଡରର । ସେପଟେ ବ୍ରିଟେନର ଆଣ୍ଡି ମରେଙ୍କ ଯାତ୍ରା ତୃତୀୟ ରାଉଣ୍ଡରେ ସୀମିତ ରହିଯାଇଛି। ୮ ଥର ବିଜେତା ରୋଜର ନୋରିଙ୍କୁ ୬-୪, ୬-୪, ୫-୭, ୬-୪ରେ ହରାଇଛନ୍ତି।
ଏହା ସହ ସେ ନିଜ କ୍ୟାରିୟରରେ ୧୨୫୦ ତମ ବିଜୟ ହାସଲ କରିଛନ୍ତି। ସେ ୨୨ରୁ ୧୮ ଥର ପାଇଁ ଓ୍ବିମ୍ବଲଡନ୍ରେ ଚତୁର୍ଥ ରାଉଣ୍ଡରେ ପହଞ୍ଚିଛନ୍ତି। ତୃତୀୟ ରାଉଣ୍ଡରେ ନୋରିଙ୍କ ସହ ରୋଜରଙ୍କ ଫାଇଟ୍ ୨ ଘଣ୍ଟା ୩୫ ମିନିଟ୍ ଚାଲିଥିଲା। ଫେଡରର ଚତୁର୍ଥ ସେଟ୍ରେ ବ୍ରେକ୍ ହାସଲ କରିବା ସହ ଦଶମ ଗେମ୍ରେ ନିଜର ସର୍ଭିସ୍ ଜାରି ରଖି ଜିତ ହାସଲ କରିଥିଲେ। ବିଜୟ ହାସଲ କରିବା ସହ ଫେଡରର ସ୍ମିତହାସ ଦେଇ କହିଛନ୍ତି, ‘ଏହା ମୁସକିଲ ମୁକାବିଲା ଥିଲା। ଜିତିବା ପରେ ମୁଁ ଆଶ୍ବସ୍ତି ପାଇଛି। ନୋରି ବହୁତ ଭଲ ଖେଳିଛନ୍ତି।’ ଏହା ପରେ ରୋଜରଙ୍କ ମୁକାବିଲା ଇଟାଲିର ଲୋରେଞ୍ଜୋ ସୋନେଗୋଙ୍କ ସହ ହେବ। ଯିଏକି ପ୍ରଥମ ଥର ଏହି ଟୁର୍ଣ୍ଣାମେଣ୍ଟର ଚତୁର୍ଥ ରାଉଣ୍ଡରେ ଖେଳିବେ। ସୋନେଗୋ ତୃତୀୟ ରାଉଣ୍ଡରେ ଅଷ୍ଟେ୍ରଲିଆର ଜେମ୍ସ ଡକଓ୍ବର୍ଥଙ୍କୁ ୬-୩, ୬-୪, ୬-୪ରେ ହରାଇ ପ୍ରଥମ ଥର ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଛନ୍ତି ।
