ପୁଣି କରୋନାମୟ ହେଲା ପୁରା ଓଡ଼ିଶା, ପାଞ୍ଚ ଦିନ ହେଲା ଖସୁନି ଦୈନିକ ମାମଲା
Mumbai: A healthcare worker collects swab sample of a passenger for Covid-19 test, at Dadar railway station, in Mumbai, Friday, January 28, 2022. (PTI Photo)(PTI01_28_2022_000133B)
ଭୁବନେଶ୍ୱର : ପୁଣି ଥରେ ଓଡିଶା କରୋନାମୟ ହୋଇଛି। କେବଳ ୬ଟି ଜିଲାକୁ ଛାଡି ଦେଲେ ଅନ୍ୟ ସମସ୍ତ ଜିଲାରେ ସକ୍ରିୟ ମାମଲା ରହିଛି। ଗତ ୫ ଦିନ ହେଲା ରାଜ୍ୟରେ କୋରୋନାର ଦୈନିକ ମାମଲା ୬୦ ଉପରେ ରହୁଛି। ଏବେ ବି ମୋଟ ମାମଲାର ପ୍ରାୟ ୫୦ ପ୍ରତିଶତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହେଉଛି। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ଅଛନ୍ତି।
ଜୁନ ୨୩ ତାରିଖରେ ସର୍ବାଧିକ ୭୩ଟି ମାମଲା ଚିହ୍ନଟ ହୋଇଥିଲା। ଏହା ପରଠାରୁ ପ୍ରତିଦିନ ୬୦ରୁ ଊର୍ଦ୍ଧ୍ୱ ପଜିଟିଭ୍ ବାହାରୁଛି। ଗତ ୩ ଦିନ ହେଲା ୪୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି। ଅନ୍ୟପଟେ ଜାନୁଆରୀ ୫ ତାରିଖରୁ ରାଜ୍ୟରେ କୌଣସି କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନାହିଁ। ବର୍ତ୍ତମାନ ରାଜ୍ୟରେ ୪୫୬ଟି ଆକ୍ଟିଭ୍ କେସ ଅଛି।
ରାଜ୍ୟରେ କରୋନା ସଂକ୍ରମଣ ସମୂଳେନାଶ ହୋଇନାହିଁ। ସୋମବାର ୧୦ଟି ଜିଲାରୁ ୬୯ଟି କୋରୋନା ମାମଲା ଚିହ୍ନଟ ହୋଇଛନ୍ତି। ସେଥିରୁ ୪୨ ଟିମ କେସ କ୍ୱାରାଣ୍ଟାଇନରୁ ଆସିଥିବା ବେଳେ ୨୭ଟି ମାମଲା ସ୍ଥାନୀୟ ଅଞ୍ଚଳରୁ ରିପୋର୍ଟ ହୋଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ୯ ଜଣଙ୍କ ବୟସ ୦ରୁ ୧୮ ବର୍ଷ ମଧ୍ୟରେ ରହିଛି। ୬ ଜଣ କୋରୋନା ଆକ୍ରାନ୍ତ ରାଜ୍ୟ ବାହାରର ବୋଲି ରାଜ୍ୟ ସରକାର କହିଛନ୍ତି। ଗତ ୨୪ ଘଣ୍ଟା ଭିତରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୬ ଓ କଟକରୁ ୧୩ ଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ୮, ବାଲେଶ୍ୱରରୁ ୫ ଓ ସମ୍ବଲପୁରର ୪ ଜଣ ନୂଆ ଆକ୍ରାନ୍ତ ରହିଛନ୍ତି। ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ ଓ ସୁବର୍ଣ୍ଣପୁରକୁ ଛାଡ଼ିଦେଲେ ଅନ୍ୟ ୨୪ଟି ଜିଲ୍ଲାରେ ଆକ୍ଟିଭ୍ ମାମଲା ରହିଛି। ଖୋର୍ଦ୍ଧାରେ ସର୍ବାଧିକ ୨୨୩ ଜଣ କୋରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
