କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପୁରୀ ମନା
ଭୁବନେଶ୍ୱର : ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରଥଯାତ୍ରାକୁ ନେଇ ବଡ଼ ପଦକ୍ଷେପ । କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ରଥଯାତ୍ରା ମନା । କାଶ, ଜ୍ୱର, ଥଣ୍ଡା ଓ ଛିଙ୍କ ହେଉଥିଲେ ପୁରୀ ନଯାଇ ଘରେ ବସି ରଥଯାତ୍ରା ଦେଖିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରଥଯାତ୍ରା ପାଇଁ ପୁରୀରେ ପର୍ଯ୍ୟାପ୍ତ ପରିମାଣର ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବ । ପୁରୀକୁ ଯାଉଥିବା ଭକ୍ତଙ୍କୁ ମାସ୍କ ଯୋଗାଇବ ସ୍ୱାସ୍ଥ୍ୟ ବିଭାଗ । ଏହାସହ ଭିଡ଼ ସ୍ଥାନକୁ ନଯିବାକୁ ଅନୁରୋଧ କରାଯାଇଛି । କେବଳ କୋଭିଡ ନୁହେଁ ଝାଡା, ବାନ୍ତି ଭଳି ରୋଗ ପାଇଁ ସଚେତନ ରହିବାକୁ କହିଛି ସ୍ୱାସ୍ଥ୍ୟ ବିଭାଗ ।
ଚଳିତ ଥର ଭକ୍ତଙ୍କ ସଂଖ୍ୟା ଅଧିକ ହେବାର ସମ୍ଭାବନା ରହିଛି । ତେଣୁ ଯେଉଁମାନଙ୍କଠାରେ କରୋନାର ଲକ୍ଷଣ ରହିଛି, ସେମାନେ ପୁରୀ ନ ଆସି ଘରେ ରହି ଟିଭିରେ ରଥଯାତ୍ରା ଦେଖିବା ଭଲ । ରଥଯାତ୍ରାକୁ ଆଖି ଆଗରେ ରଖି ରାଜ୍ୟ ସରକାର ପୁରୀ ଜିଲା ପ୍ରଶାସନକୁ କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରା ସମୟରେ କୋଭିଡ-୧୯ ପଜିଟିଭ୍ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
