ପୌଷ ଅମାବାସ୍ୟା କ’ଣ ଓ କେବେ ପାଳନ କରାଯାଏ? ଜାଣନ୍ତୁ ଏହାର ମହତ୍ଵ
ଭାରତ ଏମିତି ଏକ ରାଷ୍ଟ୍ର ଯେଉଁ ଠାରେ ପର୍ବ ପର୍ବାଣୀ ଏତେ ମାତ୍ରାରେ ପୁରି ରହିଛି ଯେ ସେସବୁକୁ ସବୁ ସମୟରେ ପାଳନ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ଆମେ ଯଦି ରାଜ୍ୟ ସ୍ତରକୁ ନଜର ପକାଇବା, ପ୍ରତ୍ୟେକ ରାଜ୍ୟର ପର୍ବ ପର୍ବାଣୀ ଅଲଗା ଅଲଗା। ଯଦି ପ୍ରତ୍ୟେକ ଅଂଚଳକୁ ଅନୁଧ୍ୟାନ କରାଯାଏ ସେହି ଗୋଟିଏ ପର୍ବକୁ ଲୋକମାନେ ବିଭିନ୍ନ ଢ଼ଙ୍ଗରେ ପାଳନ କରିଥାନ୍ତି। ତେବେ ଆସନ୍ତୁ ଆମେ ଆଲୋଚନା କରିବା ଓଡ଼ିଶାର ଗ୍ରାମାଞ୍ଚଳରେ ଓ ଶ୍ରୀଜଗନ୍ନାଥଙ୍କ ପାଖରେ କିପରି ଭାବରେ ପୌଷ ଅମାବାସ୍ୟା ପାଳନ କରାଯାଏ ।
କ’ଣ ଓ କେବେ ପାଳନ କରାଯାଏ?
ବକୁଳ ଅମାବାସ୍ୟା ବା ବଉଳ ଅମାବାସ୍ୟା ଭାବରେ ଓଡ଼ିଆ ଲୋକ ମାନଙ୍କ ମଧ୍ୟରେ ବେଶ ଜଣା ଶୁଣା। ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଏହି ପର୍ବ କୌଣସି ନିର୍ଦ୍ଦିଷ୍ଟ ତାରିଖ କିମ୍ବା ନିର୍ଦ୍ଦିଷ୍ଟ ମାସରେ ପାଳନ କରାଯାଏ ନାହିଁ। ଏହି ପର୍ବ ଓଡ଼ିଆ କ୍ୟାଲେଣ୍ଡର ଅନୁସାରେ ପାଳନ କରାଯାଏ। ଜୌତିଷ ଶାସ୍ତ୍ର ଅନୁଯାୟୀ ଚଳିତ ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଡିସେମ୍ବର ୨୩ ତାରିଖ ଶୁକ୍ରବାର ଦିନ ପୌଷ ଅମାବାସ୍ୟା ପାଳନ କରାଯିବ।
କେଉଁ ମାନେ ପାଳନ କରିଥାନ୍ତି? :
ଯେହେତୁ ବକୁଳ ଅମାବାସ୍ୟା ଏକ କୃଷିଭିତ୍ତିକ ପର୍ବ, ତେଣୁ ଏହି ପର୍ବକୁ କୃଷକମାନେ ନିରାଡମ୍ବର ଭାବରେ ପାଳନ କରନ୍ତି । କେବଳ ଯେ କୃଷକମାନେ ପାଳନ କରିଥାନ୍ତି ତାହା ନୁହେଁ । ସନ୍ତାନ ପ୍ରାପ୍ତି ପାଇଁ ସନ୍ତାନ ଶୂନ୍ୟ ଦମ୍ପତି ମାନେ ମଧ୍ୟ ଉପବାସ କରି ଥାନ୍ତି। ଦାରିଦ୍ର୍ୟ ଦୂରୀକରଣ ପାଇଁ ମହିଳା ମାନେ ଏହି ପର୍ବ ପାଳନ କରନ୍ତି। କାଳସର୍ପ ଦୋଷ, ପିତୃପୁରୁଷଙ୍କ ଦୋଷରୁ ମୁକ୍ତିଲାଭ କରିବା ପାଇଁ ଅନେକ ଦମ୍ପତି ଏହି ବ୍ରତ ପାଳନ କରନ୍ତି। ପିତୃ ଅଭିଶାପ ରୁ ମୁକ୍ତିଲାଭ ପାଇଁ ଏହି ଦିନ ମଧ୍ୟ ଉପବାସ କରାଯାଏ। ଶନିଦେବଙ୍କ କୋପଦୃଷ୍ଟିରୁ ମୁକ୍ତିଲାଭ ପାଇଁ ଏହି ଦିନ ବ୍ରତ ପାଳନ କରାଯାଇଥାଏ।
କିପରି ପ୍ରସ୍ତୁତ ହୋଇଥାଏ ? :
ପୌଷ ଅମାବାସ୍ୟା ଦିନ ବ୍ରାହ୍ମ ମୁହୁର୍ତ୍ତ ରୁ ସଜ୍ଯା ତ୍ୟାଗ କରି ଗଙ୍ଗା ସ୍ନାନ କରାଯାଏ। କିନ୍ତୁ ଗଙ୍ଗା ନଦୀରେ ସ୍ନାନାଦି କର୍ମ କରିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇନଥାଏ। ତେଣୁ ଏହି ଦିନ ବ୍ରାହ୍ମ ମୁହୁର୍ତ୍ତରେ ନଦୀ କିମ୍ବା ପୋଖରୀରେ ସ୍ନାନ କରି ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଫୁଲ ଚନ୍ଦନ ଜଳ ଧୂପ ଦୀପ ଗୁଡ ଦଧି ଫଳ ଇତ୍ୟାଦି ଅର୍ପଣ କରାଯାଏ। ମାଛ ମାନଙ୍କୁ ଖାଦ୍ୟ ଦାନ, ଗାଈ ମାନଙ୍କୁ ଦହି ଭାତ ଘାସ ଖାଇବାକୁ ଦିଆଯାଇଥାଏ। ଅସହାୟ, ଗରିବ ଓ ବୃଦ୍ଧବୃଦ୍ଧା ମାନଙ୍କୁ ଖାଦ୍ୟ ଓ ବସ୍ତ୍ର ଦାନ କରାଯାଏ। କୃଷକ ମାନେ ନିଜ ନିଜର ଫସଲ ତଥା ଆମ୍ବ ପଣସ ନଡିଆ ପିଜୁଳି କଦଳୀ ଆଦିକୁ ଅତ୍ୟଧିକ ଅମଳ ଆଶା କରି ପୂଜା କରିଥାନ୍ତି। କ୍ଷୀରି ଗଇଁଠା ପିଠା ବା ରାଶି ପୁର ଦିଆ ମଣ୍ଡା ପିଠା ତିଆରି କରି ବଉଳ ସହିତ ଭୋଗ ଲଗାନ୍ତି। ଏହି ସମୟରେ ଆମ୍ବ ପଣସ ଆଦି ଗଛମାନଙ୍କରେ ଫୁଲ ଆସି ଥାଏ। ତେଣୁ ଏହି ଅମାବାସ୍ୟା କୁ ବଉଳ ଅମାବାସ୍ୟା କୁହାଯାଇଥାଏ ।
ମହତ୍ଵ କ’ଣ ? :
ସାଧାରଣତଃ ପୂର୍ଣ୍ଣିମା ରାତ୍ରରେ ଦେବତା ଓ ଦେବୀ ମାନେ ପୃଥିବୀ ପୃଷ୍ଠରେ ଭ୍ରମଣ କରି ଜୀବଜଗତ କୁ ଆଶିର୍ବାଦ ଦେଉଥିବା ବେଳେ ଅମାବାସ୍ୟା ରାତ୍ରରେ ଭୂତ ପ୍ରେତ ପିଶାଚ ଡାକିନି ଆଦି ପୃଥିବୀରେ ଭ୍ରମଣ କରି ଜୀବଜଗତର ଅନିଷ୍ଟ ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତି। ତେଣୁ ଅମାବାସ୍ୟା ତିଥିରେ ନିଛାଟିଆ ଶୁନଶାନ୍ ଜାଗାକୁ କୌଣସି କାର୍ଯ୍ୟରେ ଏକୁଟିଆ ଯିବା ଅନୁଚିତ। ଅନ୍ଧାର ରାତିରେ ଚୋର ତସ୍କର ହିଂସ୍ର ଜୀବଜନ୍ତୁ ବିଚ୍ଛା ସାପ ଆଦିଙ୍କ ଦଂଶନର ଶିକାର ହେବାକୁ ପଡେ। ଏହି ଦିନ କୌଣସି ବ୍ୟକ୍ତି ସହିତ ତର୍କ ବିତର୍କ ଝଗଡ଼ା କରିବା ଦ୍ୱାରା ନିଜର ଅଧିକ କ୍ଷତି ହୋଇଥାଏ।
ଏହି ଦିନ ନାରୀମାନେ ଗର୍ଭବତୀ ହେଲେ ସନ୍ତାନ ମାନଙ୍କର ଅନେକ କ୍ଷତି ହୋଇଥାଏ କିମ୍ବା ସନ୍ତାନ ସନ୍ତତି ମାନେ ବିପଥ ଗାମି ହୋଇ ଥାନ୍ତି। ତନ୍ତ୍ର ସାଧନା କରୁଥିବା ବ୍ୟକ୍ତିମାନଙ୍କ ପାଇଁଁ ଏହି ପୌଷ ଅମାବାସ୍ୟା ରାତ୍ରି ହେଉଛି ଉତ୍ତମ ସମୟ। ମଧ୍ୟ ରାତ୍ରରେ ତାନ୍ତ୍ରିକ ମାନେ ମଶାଣି ଚଣ୍ଡୀଙ୍କର ଆଶିର୍ବାଦ ପାଇବା ପାଇଁ ମଶାଣିରେ ପୂଜା ପାଠ କରିଥାନ୍ତି। ହିନ୍ଦୁ ଧର୍ମ ଅନୁସାରେ ଅନେକ ପ୍ରକାରର ଗଛକୁ ପୂଜା କରିବା ବିଧି ବଦ୍ଧ ପ୍ରମାଣ ରହିଛି । ହେଲେ ଅଶ୍ବସ୍ତ ଗଛର ପୂଜା ବିଧାନ ନିଆରା ।
ସାଧାରଣତଃ ଲୋକମାନେ ଶନି ଦେବଙ୍କ କୃପା ଲାଭ କରିବା ପାଇଁଁ ଅଶ୍ବସ୍ତ ଗଛକୁ ପ୍ରତ୍ୟେକ ଶନିବାର ଦୀପ ଜାଳି ପୂଜା କରନ୍ତି। ହେଲେ ବଉଳ ଅମାବାସ୍ୟା ରେ ଅଶ୍ବସ୍ତ ଗଛକୁ ପୂଜା କରିବା ଦ୍ୱାରା ଅନେକ କ୍ଷେତ୍ରରେ ଆଶିର୍ବାଦ ମିଳେ। ନବଗ୍ରହ ଶାନ୍ତି ପାଇଁ ଲୋକମାନେ ଅଶ୍ବସ୍ତ ଗଛକୁ ପୂଜା କରନ୍ତି। ଏହି ଅମାବାସ୍ୟା ରେ ଅଶ୍ବସ୍ତ ଗଛକୁ ପୂଜା କରିବା ଦ୍ୱାରା ବୃହସ୍ପତି ଶନି ରାହୁ କେତୁ ସଦାସର୍ବଦା ଆଶିର୍ବାଦ ଦିଅନ୍ତି।
ଅମାବାସ୍ୟା ରାତ୍ରି କାଳ ସାମ୍ରାଜ୍ୟ ବା କଳା ସାମ୍ରାଜ୍ୟ ହୋଇ ଥିବା କାରଣ ରୁ ସଂସାରର ମଙ୍ଗଳ ପାଇଁ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର ଅଶ୍ବସ୍ତ ଗଛରେ ଅବସ୍ଥାନ କରିଥାନ୍ତି ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଅଶ୍ବସ୍ତ ଗଛକୁ ଗୁଡ଼ କ୍ଷୀର କଦଳୀ ନଡ଼ିଆ ରାଶି ତେଲରେ ଦୀପ ଲାଲ ଫୁଲ ଇତ୍ୟାଦି ରେ ପୂଜା କରି ୧୦୮ଘେରା ବୁଲିବା ଦ୍ୱାରା ସମସ୍ତ ପ୍ରକାର ସମସ୍ୟା ଦୂର ହୁଏ ବୋଲି ଲୋକ ମାନଙ୍କର ବିଶ୍ବାସ ରହିଛି।
ଶ୍ରୀମନ୍ଦିରରେ ବକୁଳ ଲାଗି ନୀତି ?
ଓଡ଼ିଶାର ବା ଓଡ଼ିଆର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ। ପ୍ରତ୍ୟେକ ପର୍ବ ପର୍ବାଣୀ ପ୍ରଥମେ ଶ୍ରୀମନ୍ଦିର ରେ ପାଳିତ ହୋଇଥାଏ। ତାପରେ ଓଡ଼ିଆ ମାନେ ପାଳନ କରନ୍ତି। ଶ୍ରୀମନ୍ଦିରରେ ବି ବକୁଳ ଲାଗି ନୀତି ଅନୁଷ୍ଠିତ ହୋଇ ଥାଏ। ନୀତି ଅବସରରେ ମହାପ୍ରଭୁଙ୍କୁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ବଉଳ ଗଇଁଠା ଲାଗି କରାଯାଏ l ତାଟରେ ଆମ୍ବ ବଉଳର ଗଇଁଠା ମହାପ୍ରଭୁଙ୍କ ଠାରେ ଲାଗି କରା ହୁଏ l ପରମ୍ପରା ଅନୁଯାୟୀ ଏହି ଦିନର ଆଳତି ବଢ଼ିବା ପରେ ଶ୍ରୀଜିଉଙ୍କୁ ଆଜ୍ଞା ମାଳ ଲାଗି କରା ଯାଇଥାଏ। ବଲ୍ଲଭ ଭୋଗ ନୀତି ଶେଷ ହେବା ପରେ ସକାଳ ଧୂପ ନୀତି ଆରମ୍ଭ ହୁଏ l ସକାଳ ଧୂପ ଉଠିଲା ପରେ ରୋଷ ଘରୁ ବଉଳ ଗଇଁଠା ତାଟ ଶ୍ରୀଛାମୁକୁ ଆସି ପ୍ରସାଦ ଲାଗି ନୀତି ବଢ଼ି ଥାଏ l
