ବାଲେଶ୍ୱର ପବ୍ଲିକ ହାଇସ୍କୁଲରେ ପ୍ରବେଶ ଉତ୍ସବ ପାଳିତ
ନୂତନ ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ
ବାଲେଶ୍ୱର : ବାଲେଶ୍ୱର ସହର ଏଡ଼ିଏମ୍ ଛକ ସ୍ଥିତ ପବ୍ଲିକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ ଘରୋଇ ସ୍କୁଲ ଭଳି ଶିକ୍ଷା ଦିଆଯାଉଛି । ତେଣୁ ଅଭିଭାବକ ଓ ଛାତ୍ରୀଛାତ୍ରମାନେ ସମ୍ପୂର୍ଣ୍ଣ ମାଗଣାରେ ସରକାରୀ ବିଦ୍ୟାଳୟ ଗୁଡିକରେ ପାଠ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ବୁଧବାର ଏହି ବାର୍ତ୍ତା ନେଇ ପବ୍ଲିକ ହାଇସ୍କୁଲର ଛାତ୍ରୀଛାତ୍ରମାନେ ବିଦ୍ୟାଳୟର ଶିକ୍ଷକମାନଙ୍କ ତତ୍ତ୍ୱାବଧାନରେ ପାଳନ କରିଛନ୍ତି ପ୍ରବେଶ ଉତ୍ସବ ।
ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଏବଂ ୫-ଟି ସଚିବଙ୍କ ମିଳିତ ଯୋଜନାରେ ସରକାରୀ ସ୍କୁଲ ଗୁଡ଼ିକର ରୂପାନ୍ତରୀକରଣ ଯୋଜନା ଜିଲାରେ ଆରମ୍ଭ ହେବା ପରେ ସ୍କୁଲ ଗୁଡ଼ିକର କାୟା କଳ୍ପରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଏହି ପରିପ୍ରେକ୍ଷୀରେ ପବ୍ଲିକ ସ୍କୁଲର ଛାତ୍ରୀଛାତ୍ରମାନେ ସହର ପରିକ୍ରମା କରି ସରକାରୀ ବିଦ୍ୟାଳୟରେ ନାମ ଲେଖାଇ ବାକୁ ସ୍ଲୋଗାନ ମାନ ଦେଇଥିଲେ । ଏହି ଅବସରରେ ନୂଆକରି ନାମ ଲେଖାଇଥିବା ଛାତ୍ରୀଛାତ୍ରମାନଙ୍କୁ ଫୁଲ ଚନ୍ଦନ ଲଗାଇ ସ୍ୱାଗତ କରା ଯାଇଥିଲା । ଶିକ୍ଷାବିତ୍ ବଟ କୃଷ୍ଣ ମିଶ୍ର, କବି ପ୍ରଶାନ୍ତ ଦାସ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅକ୍ଷୟ କିଶୋର ଦାସ, ସଦସ୍ୟ ସୁବ୍ରତ ନାରାୟଣ ସିଂ, ବିଦ୍ୟାଧର ବେହେରା, ମନୀଷା ଦାସ, ରେବତୀ ବେହେରା, ମଧୁସ୍ମିତା ସାହୁ ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ଯୋଗ ଦେଇଥିଲେ ।
ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀମଣୀ ସାହୁ କହନ୍ତି, ଘରୋଇ ସ୍କୁଲ ଭଳି ସରକାରୀ ବିଦ୍ୟାଳୟରେ କମ୍ପ୍ୟୁଟର ରୁମ୍, ଲାବୋରେଟୋରୀ ବ୍ୟବସ୍ଥା ରହିଛି । ପ୍ରଶିକ୍ଷିତ ଶିକ୍ଷକ ବିଦ୍ୟା ଦାନ କରୁଛନ୍ତି । ସରକାର ମଧ୍ୟ ଡାକ୍ତରୀ ଓ ଯାନ୍ତ୍ରିକ ବିଭାଗରେ ପଢ଼ିବା ପାଇଁ ୧୫% ଆରକ୍ଷଣ ବ୍ୟବସ୍ଥା କରିଛନ୍ତି । ଘରୋଇ ବିଦ୍ୟାଳୟରେ ଅଭିଭାବକ ଖର୍ଚ୍ଚାନ୍ତ ହୋଇ ସୁଫଳ ପାଉ ନାହାନ୍ତି । ତେଣୁ ସେମାନେ ଏବେ ସରକାରୀ ସ୍କୁଲରେ ନିଜ ପିଲାଙ୍କୁ ଭର୍ତ୍ତି କରୁଥିବାର ପ୍ରକାଶ କରିଥିଲେ ।
