ଗତ ଅକ୍ଟୋବର ଠାରୁ ସାପ୍ତାହିକ ମୃତ୍ୟୁ ସର୍ବନିମ୍ନ ରହିଛି : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
- ବିଶ୍ୱରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂକ୍ରାନ୍ତରେ ‘ହୁ’ ପକ୍ଷରୁ ରିପୋର୍ଟ ପ୍ରକାଶ
ନୂଆଦିଲ୍ଲୀ : ବିଶ୍ୱରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂକ୍ରାନ୍ତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଗତ ସପ୍ତାହରେ କରୋନା ସଂକ୍ରମଣରେ ବୃଦ୍ଧି ଘଟିଛି । କିନ୍ତୁ ସାପ୍ତାହିକ ମୃତ୍ୟୁ ଗତ ଅକ୍ଟୋବର ଠାରୁ ସର୍ବନିମ୍ନ ରହିଛି। ୫୩ଟି ୟୁରୋପୀୟ ଦେଶରେ ସଂକ୍ରମଣ ଗତ ସପ୍ତାହରେ ୩୦% ବଢ଼ିଥିବାବେଳେ ଆଫ୍ରିକାରେ ସାପ୍ତାହିକ ମୃତ୍ୟୁର ୨୩% ବୃଦ୍ଧି ଘଟିଛି।
ଆମେରିକା ଏବଂ ଦକ୍ଷିଣ ପୂର୍ବ ଏସିଆ ବ୍ୟତୀତ ହୁ ସଦସ୍ୟଭୁକ୍ତ ଅନ୍ୟ ଦେଶଗୁଡ଼ିକରେ ଗତ ସପ୍ତାହରେ କିନ୍ତୁ କରୋନା ମୃତ୍ୟୁ ବୃଦ୍ଧି ଘଟିଛି। ହୁ ପକ୍ଷରୁ କୁହାଯାଇଛି ଜୁନ୍ ୨୮ରୁ ଜୁନ୍ ୪ ତାରିଖ ମଧ୍ୟରେ ୨୬ ଲକ୍ଷ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ପୂର୍ବ ସପ୍ତାହ ତୁଳନାରେ ଏହା ସାମାନ୍ୟ ଅଧିକ। କିନ୍ତୁ ଏହି ସପ୍ତାହରେ କରୋନା ମୃତ୍ୟୁ ବିଶ୍ୱରେ ୭% ହ୍ରାସ ଘଟି ୫୪ ହଜାର ରହିଛି। ଏହି ମୃତ୍ୟୁସଂଖ୍ୟା ଗତ ଅକ୍ଟୋବର ଠାରୁ ସର୍ବନିମ୍ନ। ଅଧିକାଂଶ ନୂଆ କରୋନା ସଂକ୍ରମଣ ବ୍ରାଜିଲ, ଭାରତ, କଲମ୍ବିଆ, ଇଣ୍ଡୋନେସିଆ ଏବଂ ବ୍ରିଟେନରେ ଦେଖିବାକୁ ମିଳିଛି। ତେବେ ଆଶ୍ୱାସନାର ବିଷୟ ହେଲା ଭାରତ ଏବଂ ବ୍ରାଜିଲରେ ସାପ୍ତାହିକ କରୋନା ସଂକ୍ରମଣ ନିମ୍ନମୁଖୀ ରହିଛି ।
