ହୀରାକୁଦର ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ
ଚିନ୍ତାଜନକ ସ୍ଥିତି ନାହିଁ : ଇଆଇସି
ତଳିଆ ଅଂଚଳବାସୀଙ୍କୁ ସତର୍କ ରହିବାକୁ ସମ୍ବଲପୁର ଜିଲ୍ଲାପାଳଙ୍କ ପରାମର୍ଶ
ଭୁବନେଶ୍ୱର : ହୀରାକୁଦ ଡ୍ୟାମରେ ପୁଣି ୬ଟି ଗେଟ୍ ଖୋଲାଯାଇଛି । ଆଜି ସକାଳେ ୪ଟି ଗେଟ୍ ଖୋଲିଥିବା ବେଳେ ପରେ ୬ଟି ଗେଟ୍ ଖୋଲିଛି । ବର୍ତମାନ ହୀରାକୁଦ ଜଳଭଣ୍ଡାରର ମୋଟ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଦିନ ୧୨ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୫.୮୯ ଫୁଟ୍ ରହିଥିଲା ।
ରାଜ୍ୟରେ ପ୍ରବଳ ବର୍ଷା ଜନିତ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି)ବିଜୟ କୁମାର ମିଶ୍ର କହିଛନ୍ତି ସବୁ ନଦୀର ଜଳସ୍ତର ବଢ଼ିଛି, କିନ୍ତୁ ବିପଦ ସଂକେତ ତଳେ ରହିଛି । କେବଳ ଜଳକା ନଦୀ ଯାହା ବିପଦ ସଂକେତ ଉପରେ ରହିଛି । ମୁଣ୍ଡଳିରେ ଆଜି ୩.୪୭ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଏବେ ହୀରାକୁଦର ୨୦ଟି ଗେଟ୍ ଖୋଲିଛି, ସେ ପାଣି ଏଯାଏ ଆସିନି । ହୀରାକୁଦ ପାଣି ଆସିଲା ବେଳକୁ, ଏ ପାଣି ଖସି ଯାଇଥିବ । ତେଣୁ ସେଭଳି କିଛି ଚିନ୍ତାଜନକ ସ୍ଥିତି ନାହିଁ । ଛତିଶଗଡ଼ରେ ମଧ୍ୟ ବର୍ଷାର ପ୍ରଭାବ କମିଛି । ଏବେ ହୀରାକୁଦକୁ ୪ କ୍ୟୁସେକ୍ ଜଳ ପ୍ରବାହ ହେଉଛି । ତଥାପି ବିଭାଗୀୟ କର୍ମଚାରୀ ସଜାଗ ରହିଛନ୍ତି । ଆଲର୍ଟ ରହିବାକୁ କୁହାଯାଇଛି ।
ଅପରପକ୍ଷରେ ମହାନଦୀ ଶଯ୍ୟା ହୀରାକୁଦ ତଳ ଅଂଚଳର ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ହୀରାକୁଦ ଡ୍ୟାମ୍ ର ତଳିଆ ଅଂଚଳକୁ ଜଳ ପ୍ରବାହ ତୀବ୍ର ରହିଛି । ତେଣୁ ସାଧାରଣ ଜନତା ସତର୍କ ରହନ୍ତୁ ବୋଲି ସେ କହିଛନ୍ତି । ଏଥି ସହିତ ତଳିଆ ଅଂଚଳରେ ନଦୀକୁ ନଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଗତକାଲି ହୀରାକୁଦ ଜଳଭଣ୍ଡାରରେ ୨ଟି ପର୍ଯ୍ୟାୟରେ ୧୦ଟି ଗେଟ୍ ଖୋଲାଯାଇଥିଲା । ପ୍ରଥମେ ଦିନ ୧୧ଟାରେ ୫ଟି ଏବଂ ଅପରାହ୍ଣ ୩ଟାରେ ଆଉ ୫ଟି ଗେଟ୍ ଖୋଲାଯାଇଥିଲା । ଛତିଶଗଡ଼ ଓ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦକୁ ଅଧିକ ପାଣି ଆସିଥିଲା । ଫଳରେ ଡ୍ୟାମର ଜଳପତନ ବୃଦ୍ଧି ପାଇଥିଲା ।
