ଆଜି ଏନ୍ଆଇଟି ରାଉରକେଲାର ସମାବର୍ତ୍ତନ ସମାରୋହ, ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର : ୩ ଦିନିଆ ଓଡ଼ିଶା ଗସ୍ତ ଆସିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଏନଆଇଟି ରାଉରକେଲାର ସମାବର୍ତ୍ତନ ସମାରୋହରେ ଯୋଗଦେବେ ଧର୍ମେନ୍ଦ୍ର । ଏନେଇ ଶୁକ୍ରବାର ବିଳମ୍ବିତ ରାତିରେ ଟ୍ରେନ୍ ଯୋଗେ ଭୁବନେଶ୍ବରର ରେଳ ଷ୍ଟେସନରୁ ରାଉରକେଲା ଯାତ୍ରା କରିଥିଲେ।
ରାଉରକେଲା ରେଳ ଷ୍ଟେସନରେ କେନ୍ଦ୍ରମନ୍ତ୍ରୀ ପ୍ରଥମେ ଭାରତ ସରକାରଙ୍କ ତରଫରୁ ଆୟୋଜିତ ହର୍ ଘର୍ ତ୍ରିରଙ୍ଗା ଏବଂ ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀର ଲୋକାର୍ପଣ କରିବେ । ପରେ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ର ୧୯ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ । ଏନଆଇଟି ରାଉରକେଲାରୁ ବାହାରିବା ପରେ ବିର୍ସା ମୁଣ୍ଡା ଛକରେ ଦଳ ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବେ । ଅପରାହ୍ନରେ ଚାମ୍ବର ଭବନରେ ରାଉରକେଲା ଚାମ୍ବର ଅଫ୍ କମର୍ସ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଯିବେ ।
ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ସୁନ୍ଦରଗଡ଼ରେ ଅନୁଷ୍ଠିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବା ପରେ ସନ୍ଧ୍ୟାରେ ମା’ ସମଲେଶ୍ବରୀଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତା ୧୪ ତାରିଖରେ ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ ଅବସରରେ ଭୁବନେଶ୍ବର ରେଳ ଷ୍ଟେସନରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀର ଉଦଘାଟନ କରିବେ । ସନ୍ଧ୍ୟାରେ ଭୁବନେଶ୍ବରରେ ବିଭାଜନ ବିଭୀଷିକା ସ୍ମରଣ ଦିବସ ଅବସରରେ ନୀରବ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
