ପାର୍ବଣରେ ଶିଶୁଙ୍କ ପାଇଁ ସତର୍କତା
ଜଗତଜ୍ଜନନୀ ମା’ଦୁର୍ଗା ଧରାପୃଷ୍ଠକୁ ଓହ୍ଲାଇଛନ୍ତି । ଚାରିଆଡ଼େ ପାର୍ବଣର ଭିଡ଼ । ସବୁଠି ଗହଳି । ମିଠା ଦୋକାନ ଠାରୁ ଶାଢ଼ୀ ଦୋକାନ, ବହି ଦୋକାନ ଠାରୁ ଘରୋଇ ଜିନିଷ କିଣିବା ପାଇଁ ସବୁଠି ଭିଡ଼ । ତେବେ ପାର୍ବଣ ଖୁସି ଭିତରେ ପିଲାମାନଙ୍କ ପାଇଁ ଅନେକ ସତର୍କତା ରହିଛି । ଏହାକୁ ମାନିବା ବାଞ୍ଛନୀୟ । ପାର୍ବଣରେ ପିଲାଟି ଖୁସି ରହୁ ଏହା ସମସ୍ତେ ଚାହାଁନ୍ତି, କିନ୍ତୁ ଏହି ଖୁସି ପଛର ପରବର୍ତ୍ତୀ ଦୁଃଖଦ କାହାଣୀ ପାଇଁ କେହି ପ୍ରସ୍ତୁତ ନଥାନ୍ତି । ପାର୍ବଣରେ ଘରେ ଘରେ ଭୋଜିଭାତ, ପିଠା, ମିଠା ଓ ଖାଇବାର ସମ୍ଭାର । କେବଳ ଘରେ ନୁହେଁ ବନ୍ଧୁଘର ଠାରୁ ପଡ଼ୋଶୀ ଘର ସବୁଠି ସ୍ନେହ ଆଦରରେ ପିଲାମାନଙ୍କ ପାଇଁ ସମସ୍ତେ ଖାଦ୍ୟ ଜିନିଷ ପ୍ରାୟତଃ କିଣି ଦିଅନ୍ତି । ଏ କ୍ଷେତ୍ରରେ ମନେରଖନ୍ତୁ ଯେ ପିଲାର ହଜମ ଶକ୍ତି ଠାରୁ ଅଧିକ ଖାଦ୍ୟ ଦେଲେ ତାହା ପିଲା ପାଇଁ କ୍ଷତିକାରକ । ବଜାରର ରଙ୍ଗ ବେରଙ୍ଗୀ ଖାଦ୍ୟ, ଥଣ୍ଡା ଖାଦ୍ୟ, ଦାମୀ ଚକୋଲେଟ ଓ ତଥାକଥିତ ଫାଷ୍ଟଫୁଡ଼୍ ପିଲାଟି ପାଇଁ ବିପଦଜ୍ଜନକ ହୋଇପଡ଼େ । ସ୍ନେହ ସରାଗରେ ପିଲାଟିକୁ ଖୋଇଦେଲା ପରେ ସ୍ୱାସ୍ଥ୍ୟକଥା ପ୍ରାୟ କେହି ଚିନ୍ତା କରିନଥାନ୍ତି ।
ବର୍ତ୍ତମାନ ସହଜେ ବନ୍ୟା ପାଣିର ପ୍ରକୋପ ଯାହା ପେଟ ଖରାପ ସହ ପତଳା ଝାଡ଼ା କିମ୍ବା ଡାଇରିଆର ସମ୍ଭାବନା ବି ସୃଷ୍ଟି ହୋଇପାରେ । ସେହିପରି ଦିନକୁ ଦିନ ଶବ୍ଦ ପ୍ରଦୂଷଣ ବଢ଼ିବାରେ ଲାଗିଛି । ସହର ବଜାର ଚାରିଆଡ଼େ ସାଉଣ୍ଡବକ୍ସର ଗର୍ଜନ ଓ ବିଭିନ୍ନ ବାଜାର ଉଦଣ୍ଡ ଶବ୍ଦ ପିଲାଟି ପାଇଁ ଶ୍ରୁତିିକଟୁ ହୋଇଥାଏ । ଦିନ ଦିନ ଧରି ବାଜାର ଗୁରୁଗର୍ଜନ ପିଲାଟିର କାନକୁ ପ୍ରଭାବିତ କରିଥାଏ । ପରବର୍ତ୍ତୀ ସମୟରେ ଏହା କାନ ପାଇଁ ବଡ଼ ଯନ୍ତ୍ରଣାଦାୟକ ରୋଗକୁ ଡାକି ଆଣିଥାଏ । ପାର୍ବଣରେ ପିଲାମାନଙ୍କର ନିୟମିତ ଖାଇବା ପିଇବାକୁ ନେଇ ସେପରି କେହି ଚିନ୍ତିତ ନଥାନ୍ତି ।
କିନ୍ତୁ ବଡ଼କଥା ହେଉଛି ଏହି ସମୟରେ ସ୍କୁଲ ଛୁଟି ଥିବାରୁ ପିଲାମାନେ ପ୍ରାୟତଃ ଘରେ ରହିଥାନ୍ତି । ତେଣୁ ଛୁଟି ନାମରେ ପିଲାମାନଙ୍କର ଖାଇବା ଓ ବିଶ୍ରାମକୁ ଅବହେଳା କରିବା କଥା ନୁହେଁ । ଦେଖାଯାଉଛି ପୂଜାରେ ସର୍ପ୍ରାଇଜ୍ ଗିଫ୍ଟ ନାମରେ ପିଲାମାନଙ୍କୁ ମୋବାଇଲ ଫୋନ୍ ଓ ଆଇପଡ଼୍ ଦିଆଯାଉଛି । ବାସ୍ତବରେ କମ୍ ବୟସର ପିଲାମାନଙ୍କ ପାଇଁ ମୋବାଇଲ୍ ଫୋନ ହେଉ ବା ଆଇପଡ଼୍ କ୍ଷତିକାରକ । ଏହା ପିଲାମାନଙ୍କ ବୋଧଶକ୍ତି, ସୃଜନଶୀଳତା ଓ ବୌଦ୍ଧିକତାକୁ କ୍ଷତବିକ୍ଷତ କରିବାର ସମ୍ଭାବନା ରହିଥାଏ । ସେହିପରି ବଜାରରେ ମେଢ଼ ବୁଲି କିମ୍ବା ମେଲୋଡ଼ି ଦେଖି ବିଳମ୍ବରେ ପ୍ରାୟତଃ କିଛି ପିଲାମାନେ ଶୋଇଥାନ୍ତି । ପ୍ରକୃତରେ ଏହା ସ୍ୱାସ୍ଥ୍ୟପାଇଁ ବହୁତ ବିପଦଜନକ । କାରଣ ନିର୍ଦ୍ଧାରିତ ସମୟରେ ଶୋଇବା ପିଲାଟି ପାଇଁ ଅତ୍ୟନ୍ତ ସ୍ୱାସ୍ଥ୍ୟପ୍ରଦାୟକ ।
ବନ୍ଧୁବାନ୍ଧବ କିମ୍ବା ପଡ଼ୋଶୀ ପିଲାମାନଙ୍କ ସହିତ ପିଲାଟି ଖେଳବୁଲା କରିଥାଏ । ଏହି ସମୟରେ ପିଲାଟି ଭିତରେ ସମସ୍ତଙ୍କୁ ଭଲ ପାଇବା, ସମସ୍ତଙ୍କୁ ସାହାଯ୍ୟ କରିବା, ମହତ୍ ଗୁଣ ଶିକ୍ଷା ଦିଅନ୍ତି । ଗେଲରେ ହେଉ ବା ଜିଦ୍ରେ ପିଲା ବୟସରେ ଝଗଡ଼ାଝାଟି ପ୍ରାୟତଃ ଦେଖିବାକୁ ମିଳିଥାଏ । ଏ ସବୁର ଗୁରୁ ଦାୟିତ୍ୱ ବାପମା ଓ ପରିବାରର ସମସ୍ତ ବଡ଼ ଲୋକମାନଙ୍କର । ପୂଜା ସମୟରେ ପିଲାମାନଙ୍କୁ ପକେଟମନି ଭାବରେ ଅଧିକ ପଇସା ଦିଅନ୍ତୁ ନାହିଁ । ବରଂ ସେ କ’ଣ ଚାହୁଁଛି ତାହା ଆପଣ ବିଚାର କରି କିଛି କିଣି ପାରନ୍ତି । କାରଣ ଅତ୍ୟଧିକ ଓ ଖୋଲା ହାତର ପକେଟ୍ମନି ପିଲାମାନଙ୍କୁ ବିପଥଗାମୀ କରିବାର ସମ୍ଭାବନା ରହିଥାଏ । ପିଲାଟି ବାହାରକୁ ଯାଉଥିଲେ ବି କେଉଁଠି ଯାଉଛି ଓ କାହା ପାଖକୁ ଯାଉଛି ସବିଶେଷ ବୁଝନ୍ତୁ । କେବଳ ସେତିକି ନୁହେଁ ସେ ସମ୍ବନ୍ଧରେ ସମସ୍ତ ତଥ୍ୟ ରଖନ୍ତୁ ।
ପିଲାମାନଙ୍କୁ ଦଶହରା ସମୟରେ ସେମାନଙ୍କର ଗରିବ ସାଙ୍ଗସାଥୀ କିମ୍ବା ବଜାରଘାଟରେ ବୁଲୁଥିବା ଅସହାୟ ଅପରିଚିତ ନାରାୟଣରୂପୀ ଗରିବ ଲୋକଙ୍କୁ ସାହାଯ୍ୟ କରିବାର ପରୋପକାର ଗୁଣ ଶିକ୍ଷା ଦିଅନ୍ତୁ । ଭସାଣୀ ସମୟରେ ପିଲାମାନେ ମେଢ଼ ସହିତ ଯିବାପାଇଁ ପ୍ରାୟତଃ ମନବଳାଇ ଥାନ୍ତି । ତେବେ ଏହି ସମୟରେ ଅପ୍ରିତିକର ପରିସ୍ଥିିତ ଓ ପ୍ରବଳ ଭିଡ଼ ରହୁଥିବାରୁ ଦଳାଚକଟା ଠାରୁ ଅସମାଜିକ ଲୋକଙ୍କ ଦ୍ୱାରା ଗଣ୍ଡଗୋଳର ଭୟ ବି ରହିଥାଏ । ତେବେ ସବୁଠି ଯେ ଗଣ୍ଡଗୋଳର ବା ଦଳାଚକଟାର ଭିଡ଼ ରହିଥାଏ ତାହା କୁହାଯାଉନାହିଁ କିନ୍ତୁ ଏ କ୍ଷେତ୍ରରେ ସତର୍କତା ଜରୁରୀ । ନଦୀ ବା ଜଳାଶୟରେ ମା’ଙ୍କ ବିସର୍ଜନ ବେଳେ ପିଲାମାନେ ନଦୀକୁ ଯାଇଛନ୍ତି । ପିଲାଟି ପହଁରା ଶିକ୍ଷା ପାଇଛି କି ନାହିଁ ତାହା ଆପଣମାନେ ଜାଣିଛନ୍ତି କି ? ଅନ୍ୟଗୋଟିଏ କଥା ହେଉଛି ନଦୀ ଜଳରେ ମା’ଙ୍କ ମୂର୍ତ୍ତିରେ ଦିଆଯାଇଥିବା ବିଷାକ୍ତ ରଙ୍ଗ ସମଗ୍ର ଜଳରାଶିକୁ ପ୍ରଦୂଷିତ କରୁଥାଏ । ଏହାର ସଂସ୍ପର୍ଶରେ ପିଲାଟି ଆସିଲେ ପରବର୍ତ୍ତୀ ସମୟରେ ଚର୍ମରୋଗର ଶିକାର ହୋଇଥାଏ । ପିଲାମାନଙ୍କୁ ସେହି ଦୂଷିତ ରଙ୍ଗ ଜଳରାଶିର ସଂସ୍ପର୍ଶରେ ନ ଆସିବା ପାଇଁ ଦୃଷ୍ଟି ରଖନ୍ତୁ ।
ପାର୍ବଣରେ ସମସ୍ତେ ଖୁସି ମନାଉଥିବାବେଳେ ଆମ୍ଭମାନଙ୍କ ହାତ ପାଖରେ ମୁଠାଏ ଖାଇବା ପାଇଁ ପାଣି ମୁନ୍ଦାଏ ପିଇବା ପାଇଁ ବହୁତ ନିରାଶ୍ରୟ ଦେବଶିଶୁପରି ଅସହାୟ ପିଲାମାନେ ରହିଥାନ୍ତି । ସେମାନଙ୍କ ପାଇଁ ଆମ୍ଭମାନଙ୍କର ଦାୟିତ୍ୱବୋଧତା ସମ୍ପର୍କରେ ପିଲାଟିକୁ ଏ ବୟସରୁ ଶିକ୍ଷା ଦିଅନ୍ତୁ । ପାର୍ବଣରେ ସମସ୍ତଙ୍କ ସହ ଖୁସି, ସୁଖ ଓ ଭଲପାଇବା ବାଣ୍ଟି ପାରିବାର ମହାମନ୍ତ୍ର ପିଲାଟିକୁ ଆପଣମାନେ ହିଁ ଶିକ୍ଷା ଦେଇପାରିବେ । ଦେଖିବେ ଆପଣଙ୍କ ପିଲାଟି ମା\’ଆଙ୍କ କୃପା ପାଇବା ସହ ଏକ ଦିବ୍ୟ ପଥର କୁନି ପଥିକ ହୋଇପାରିବ ।
