ଦୁର୍ନୀତିର ଗନ୍ତାଘର ପାଲଟିଛି ୱାର୍ଡ ନମ୍ବର ୪୬ ହତାଧିକାରୀଙ୍କ ପାଇଁ ଆବାସ ଯୋଜନା ସାତ ସପନ
କଟକ : ଗରିବ ହିତାଧିକାରୀଙ୍କ ପାଇଁ ସରକାର ଆବାସ ଯୋଜନା ପ୍ରଣୟନ କରିଛନ୍ତି, ହେଲେ ହିତାଧିକାରୀମାନେ ଏଠାରେ ଘର କରିବା ବଦଳରେ ଭାରି ଦହଗଞ୍ଜର ଶିକାର ହେଉଛନ୍ତି । ଏଭଳି ଘଟଣା କୌଣସି ଗ୍ରାମାଂଚଳ ନୁହେଁ ବରଂ ରୌପ୍ୟନଗରୀ କଟକ ସହରର ୪୬ନଂ ୱାର୍ଡରେ ଦେଖିବାକୁ ମିଳିଛିି । ୱାର୍ଡର କେତେକ ହିତାଧିକାରୀ ଶାସକ ଦଳର କର୍ପୋରେଟର ପ୍ରଳୟା ବେଉରାଙ୍କ ନାମରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତିି । ଅଭିଯୋଗ ଅନୁଯାୟୀ, କଟକ ମହାନଗର ନିଗମ ଅନ୍ତର୍ଗତ ୪୬ନଂ ୱାର୍ଡର ନଦୀକୂଳ ସାହିର ସୁଧାକର ବେହେରା ଓରଫ ବିଜୟ(୬୦) ମୂଲ ଲାଗି ପରିବାରର ଗୁଜୁରାଣ ମେଂଟାଇଥାନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ କର୍ପୋରେଟର ପ୍ରଳୟା ବେଉରାଙ୍କ ଦ୍ୱାରସ୍ଥ ହୋଇ ଶେଷରେ ଘର କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି ଘର କରିବା ପାଇଁ ହିତାଧିକାରୀଙ୍କୁ କିସ୍ତି ଆକାରରେ ୨ ଲକ୍ଷ ଟଙ୍କା ମିଳିଥାଏ । ଦୁଇ ତିନୋଟି କିସ୍ତି ପାଇସାରିବା ପରେ ଅବଶିଷ୍ଟ ଟଙ୍କା ପାଇବା ପାଇଁ କର୍ପୋରେଟର ମହାଶୟା ଲାଂଚ ମାଗିଥିଲେ, ଘର କାମ ଅଧାପନ୍ତରିଆ ହୋଇଥିବାରୁ ତୁରନ୍ତ ୨୦ ହଜାର ଟଙ୍କା ଯୋଗାଡ କରି କର୍ପୋରେଟରଙ୍କୁ ତାଙ୍କ ଘରେ ଯାଇ ଦେଇଆସିଥିଲେ ବୋଲି ଅଭିଯୋଗ କରିଛନ୍ତି ହିତାଧିକାରୀ ସୁଧାକର । ଏହା ପରେ ହିତାଧିକାରୀ ସମସ୍ତ କିସ୍ତି ଟଙ୍କା ପାଇସାରିଥିଲେ ମଧ୍ୟ ଘର କାମ ସମ୍ପୂର୍ଣ୍ଣ ହୋଇପାରିନଥିବାରୁ କର୍ପୋରେଟର ଶ୍ରୀମତୀ ବେଉରାଙ୍କୁ ଦେଇଥିବା ୨୦ ହଜାର ଟଙ୍କା ନେଇଥିବାର ଏକ ଭିଡିଓ ଭାଇରାଲ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଏହାର ସତ୍ୟା ସତ୍ୟ ଜାଣିବା ପାଇଁ ସୁଧାକର ବେହେରାଙ୍କୁ ପଚାରିବାରୁ ସେ ୨୦ ହଜାର ଟଙ୍କା ଦେଇଥିବାର କଥା ସତ୍ୟ ବୋଲି କହିବା ସହ ଏହି ଟଙ୍କା ଫେରାଇ ଦେବା ପାଇଁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି । ଯାହାଦ୍ୱାରା ସେ ତାଙ୍କର ଘର କାମକୁ ସମ୍ପୂର୍ଣ୍ଣ କରିପାରିବେ ? ସେହିପରି ଶିଖରପୁର ଅଞ୍ଚଳର ସଅର ସାହିର ରେବ ଦେଇ ଏବଂ ହାଡିବନ୍ଧୁ ଦେହୁରୀଙ୍କ ସାହା ବୋଲି କେହି ନଥିବା ବେଳେ ତାଙ୍କର ଘର ମଧ୍ୟ ଅଧପନ୍ତରିଆ ହୋଇପଡି ରହିିଛି । ସେମାନଙ୍କର ମୋଟ ୨ ଲକ୍ଷ ଟଙ୍କାରୁ ୧ ଲକ୍ଷ ୬୦ ହଜାର ଟଙ୍କା ପାଇସାରିଥିବା ବେଳେ ଅବଶିଷ୍ଟ ୪୦ ହଜାର ଟଙ୍କା ପାଇବା ପାଇଁ ମୁଣ୍ଡରେ ହାତ ଦେଇ ବସିଛନ୍ତିି । ବର୍ତ୍ତମାନ ଏହି ଘରକୁ ସମ୍ପର୍ଣ୍ଣ କରିବା ପାଇଁ କରିବା ତାଙ୍କ ପକ୍ଷେ ସାତ ସପନ ପାଲଟିଯାଇଛି । ଆଉ ଏହି ଘର ଅଧପନ୍ତରିଆ ହୋଇ ରହିବାର ମୁଖ୍ୟ କାରଣ ହେଉଛି ଖୋଦ କର୍ପୋରେଟର ବୋଲି ଅଭିଯୋଗ କରିଛନ୍ତି ହିତାଧିକାରୀବୃନ୍ଦ । କର୍ପୋରେଟରଙ୍କ ଏଭଳି ଆଚରଣକୁ ୱାର୍ଡବାସୀ ଆଦୌ ଗ୍ରହଣ କରିପାରୁନାହାଁନ୍ତି । ଅପରପକ୍ଷେ ଏନେଇ କର୍ପୋରେଟର ଶ୍ରୀମତୀ ବେଉରାଙ୍କୁ ପଚାରିବାରୁ ସେ କହିଥିଲେ, ଏ ଯେଉଁ ଅଭିଯୋଗ ମୋ ନାମରେ ଆସିଛି ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ଏହା ପଛରେ କିଛି ନିର୍ଦ୍ଦିଷ୍ଟ କୁଚକ୍ରୀ ଗୋଷ୍ଠୀ ସାମିଲ ହୋଇ ମୋତେ ବଦନାମ କରିବା ପାଇଁ ଏଭଳି ହୀନ ଚକ୍ରାନ୍ତ ଚଳାଇଛନ୍ତି । ଆଗାମୀ ଦିନରେ ମୁଁ ଏମାନଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନେବି ବୋଲି ଶ୍ରୀମତୀ ବେଉରା କହିଛନ୍ତି ।
