ନଭେମ୍ବର ୧ରୁ ଆରମ୍ଭ ହେବ ଭୋଟର ସଂଶୋଧନ ପକ୍ରିୟା
ଭୁବନେଶ୍ୱର : ଓଡିଶାରେ ଆରମ୍ଭ ହେବ ଭୋଟର ସଂଶୋଧନ ପକ୍ରିୟା । ଏହି ସଂଶୋଧନ ପକ୍ରିୟା ଆସନ୍ତା ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଏନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଯେଉଁମାନଙ୍କର ବୟସ ଆସନ୍ତା ଜାନୁୟାରୀ ୧ ତାରିଖ ସୁଦ୍ଧା ୧୮ ବର୍ଷ କିମ୍ବା ତଦୁର୍ଦ୍ଧ ହେଉଛି ସେମାନେ ନାମ ପଂଜୀକରଣ ପାଇଁ ଆବେଦନ କରିପାରିବେ। ଏଥିସହିତ ଯେଉଁମାନେ ଠିକଣା ପରିବର୍ତ୍ତନ କରିବାକୁ ଚାହିଁବେ କିମ୍ବା କିଛି ସଂଶୋଧନ କରିବାକୁ ଚାହିଁବେ ସେମାନେ ଏହି ପକ୍ରିୟାରେ ଭାଗ ନେଇପାରିବେ।
ଯେଉଁମାନେ ଭୋଟର ଲିଷ୍ଟକୁ ସଂଶୋଧନ ବା ନାମ ଯୋଗ କରିବାକୁ ଚାହୁଁଛନ୍ତି ସେମାନେ ଏସବୁ ମାଧ୍ୟମରେ ଆବେଦନ କରିପାରିବେ। ଭୋଟର ତାଲିକାରେ ସଂଶୋଧନ କରିବାକୁ ଚାହୁଁଥିଲେ ଆପଣ ମୋବାଇଲ ଆପ ମାଧ୍ୟମରେ କରିପାରିବେ। ଆପଣ ପ୍ଲେ ଷ୍ଟୋରକୁ ଯାଇ ଭୋଟର ହେଲପଲାଇନ ଆପ ଡାଉନଲୋଡ କରି ଆବେଦନ କରିପାରିବେ। ସେହିପରି ଆପଣ ଅନଲାଇନରେ ମଧ୍ୟ ଏହି ଆବେଦନ କରିପାରିବେ। ସେଥିପାଇଁ www.voterportal.eci.gov.in କିମ୍ବା www.nvsp.in ରେ ଲଗଅନ କରି ଆବେଦନ କରିପାରିବେ। ଭୋଟର ସହାୟତା କେନ୍ଦ୍ର ମାଧ୍ୟମରେ ମଧ୍ୟ ଆପଣ ଏହି ସଂଶୋଧନ ପାଇଁ ଆବେଦନ କରିପାରିବେ। ଏ ସଂପର୍କରେ ଅଧିକ ଜାଣିବା ପାଇଁ ଆପଣ ଭୋଟର ହେଲପ ଲାଇନ ୧୯୫୦କୁ ଫୋନ କରି ମଧ୍ୟ ସମସ୍ତ ତଥ୍ୟ ବୁଝିପାରିବେ।
