ଜୟପୁରକୁ ଗଡ଼ିଲା ଭିଷ୍ଟାଡୋମ କୋଚ୍
ଜୟପୁର : ଜୟପୁର ରେଳ ଷ୍ଟେସନ ଦେଇ ବୁଧବାର ଠାରୁ ଭିଷ୍ଟାଡୋମ କୋଚ୍ ସେବା ଆରମ୍ଭ ହୋଇଛି । ଏହି ସେବା ଜୟପୁର ଦେଇ ଯାଉଥିବା କିରଣ୍ଡୁଲ- ବିଶାଖାପାଟଣା ଏବଂ ବିଶାଖାପାଟଣା-କିରଣ୍ଡୁଲ ଏକ୍ସପ୍ରେସ ଟ୍ରେନରେ ଆରମ୍ଭ କରିଛି । ଭାରତରେ ପ୍ରଥମ କରି ଯେତେବେଳେ ଏହି ସେବା ଆରମ୍ଭ ହୋଇଥିଲା ସେତେବେଳେ ହିଁ ଏହି ଟ୍ରେନରେ ଏହି ସେବା ଆରମ୍ଭ ହୋଇଥିଲା । କିନ୍ତୁ ଆନ୍ଧ୍ରପ୍ରଦେଶ ପର୍ଯ୍ୟଟନ ବିଭାଗ ଏବଂ ରେଳ ବିଭାଗ ମିଳିତ ଉଦ୍ୟମରେ ଏହା ଆରମ୍ଭ ହୋଇଥିବାରୁ ଏହା ଓଡ଼ିଶା ଆସି ପାରିନଥିଲା । କେବଳ ଆରାକୁ ଯାଏଁ ଆସିବା ପରେ ଏହି ଟ୍ରେନରୁ କୋଚ୍ ଗୁଡିକୁ ସେଠାରୁ ଅଟକ ରଖି ପୁଣି ବିଶାଖାପାଟଣା ଅଭିମୁଖେ ଡାଉନ ଟ୍ରେନରେ ଫେରିବା ବ୍ୟବସ୍ଥା କରାଯାଇଥିଲା ।
ଏହାକୁ ନେଇ ଗତବର୍ଷ ଅଗଷ୍ଟ ୨୨ ତାରିଖରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଜୟପୁର ମୁଖ୍ୟ ଡାକଘର ଠାରେ ଯେତେବେଳେ ସେ ଜୟପୁର ଗସ୍ତରେ ଆସିଥିଲେ । ପରେ କୋରାପୁଟ ସାଂସଦ ଏନେଇ ଏକ ଚିଠି ମଧ୍ୟ ମନ୍ତ୍ରୀଙ୍କ ଉଦ୍ୟେଶରେ ପ୍ରଦାନ କରିଥିଲେ । ସେ ଯାହା ହେଉ ୨୦୧୭ରୁ ଆରାକୁ ଯାଏଁ ଆସୁଥିବା ଏହି କୋଚ୍ ଗୁଡିକୁ ଛତିଶଗଡ଼ର କିରଣ୍ଡୁଲ ଯାଏଁ ସେବା ସଂପ୍ରସାରିତ ହୋଇ ଥିବାରୁ ସ୍ଥାନୀୟ ଅଂଚଳରେ ଖୁସି ପ୍ରକାଶ ପାଇଛି । କେବଳ ଯେ, କୋରାପୁଟ କିମ୍ବା ଜୟପୁର ନୁହେଁ ଏହି କୋଚ୍ ଏବେ ତିନି ରାଜ୍ୟର ପର୍ଯଟକଙ୍କୁ ଆକୃଷ୍ଟ କରିବାକୁ ଯାଉଥିବାରୁ ସବୁଠି ଖୁସି । ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ଼ରେ ଗଡୁଥିବା ଏହି ବିଶାଖାପାଟଣା-କିରଣ୍ଡୁଲ ଏକ୍ସପ୍ରେସ ଟ୍ରେନରେ ଦୁଇଟି ଭିଷ୍ଟାଡୋମ କୋଚ୍ ଲାଗିଛି । ଗୋଟିଏ ଗୋଟିଏ କୋଚ୍ରର ସିଟ ସଂଖ୍ୟା ୪୨ । ଏହାଦ୍ୱାରା ଆନ୍ଧ୍ରପ୍ରଦେଶର ସିମାଞ୍ଚଳ, ଆରାକୁବୋରା, ଓଡ଼ିଶାର ମାଛକୁଣ୍ଡ, ଶାବର ଶ୍ରୀକ୍ଷେତ୍ରକୋରାପୁଟ, ମାଳିଗୁଡା, ଜୟପୁର, ଛତିଶଗଡ଼ର ତୀରଥଗଡ, ଚିତ୍ରକୁଟ ଭଳି ପର୍ଯ୍ୟଟନ କ୍ଷେତ୍ରକୁ ଯେଉଁ ପର୍ଯ୍ୟଟକ ମାନେ ଆସୁଥିଲେ ସେମାନେ ଏବେ ଏହାର ମଜା ନେଇ ପାରିବେ ।
ଏହି କୋଚ୍ ରେ ଯେଭଳି ଭାବେ ୩୬୦ ଡିଗ୍ରୀ ରୋଟା୍ୱଲ ସିଟ ସହ ଗ୍ଲାସ ରୁଫେଡ ଛାତ ଏବଂ ବଡ଼ ବଡ଼ ଝରକା ଲାଗିଛି ତାହା ସମସ୍ତଙ୍କୁ ଚକିତ କରିବା ନିଶ୍ଚିତ । ମାଓବାଦୀଙ୍କ ପ୍ରଭାବ ଥିବା ଏହି ଅଂଚଳରେ ପୂର୍ବରୁ ଦ୍ୱିତୀୟ ଟ୍ରେନ ଚଳାଇବାକୁ ସରକାର ସାହସ କରୁନଥିବା ବେଳେ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ଏବେ ଏହି ରାସ୍ତାରେ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆଣିବାକୁ ଏହି କୋଚ୍ ଚଳାଇଛି । ଏହାକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଛନ୍ତି କାରଣ ଏହା ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଦ୍ରପ୍ରଦେଶର ଏକ ମାତ୍ର ଟ୍ରେନ ଯହିଁରେ ଏହି ସେବା ଅଛି । ଦେଶର କିଛି ନିର୍ଦ୍ଦିଷ୍ଟ ପର୍ଯ୍ୟଟନ କ୍ଷେତ୍ରର ଟ୍ରେନରେ ଏହି କୋଚ୍ ସୁବିଧା ଥିବା ବେଳେ ଆମ ଆଖପାଖ ରାଜ୍ୟରେ ଏହା ପ୍ରାୟ ନ ଥିଲା । କାଶ୍ମୀର ଘାଟି, ସିଲିଗୁଡି, ବାଙ୍ଗାଲୋର, ମୁମ୍ବାଇ, ପୁନେ ଭଳି ଅଂଚଳର କିଛି ନିର୍ଦ୍ଧିଷ୍ଟ ଟ୍ରେନରେ ଏହି ସୁବିଧା ଥିବା ବେଳେ ଦେଶରେ କେବଳ ୨୦ଟି ଟ୍ରେନରେ ଏହା ଉପଲବ୍ଧ କୁହାଯାଉଛି । ଏଭଳି କ୍ଷେତ୍ରରେ କୋରାପୁଟ ଭଳି ଆକାଂକ୍ଷା ଜିଲ୍ଲାର କୋଟପାଡ଼, କୁଶୁମୀ, ମାନବାର, ଛତ୍ରିପୁଟ, ଧନପୁର ଭଳି ଷ୍ଟେସନ ଥିବା ଛୋଟ ଗାଁ ଲୋକେ ବି ଏହାର ମଜା ନେଇପାରିବେ ।
