ମେଘାଳୟରେ ଭୀଷଣ ହିଂସାକାଣ୍ଡ : ଇସ୍ତଫା ଦେଲେ ଗୃହମନ୍ତ୍ରୀ
- ଶିଲଂରେ ଲାଗିଲା କର୍ଫ୍ୟୁ, ଇଣ୍ଟରନେଟ୍ ସେବା ବନ୍ଦ
ଶିଲଂ : ଲହକମନ ରିମ୍ଵୁଇରେ ପୂର୍ବତନ ଉଗ୍ରବାଦୀଙ୍କ ପୋଲିସ ଏନକାଉଣ୍ଟରେ ମୃତ୍ୟୁ ଘଟିବା ପରେ ମେଘାଳୟର ରାଜଧାନୀ ଶିଲଂରେ ଭୀଷଣ ହିଂସାକାଣ୍ଡ ଘଟିଛି। ଏହା ମଧ୍ୟରେ ମେଘାଳୟ ଗୃହ ମନ୍ତ୍ରୀ ଲହକମନ ସିମ୍ବୁଇ ପଦରୁ ଇସ୍ତଫା ଦେଇଛନ୍ତି। ଅଧିକାରୀ ରବିବାର ଏହାର ସୂଚନା ଦେଇଛନ୍ତି। ଶିଲଂର ଜିଲ୍ଲାପାଳ ସହରେ ରବିବାର ରାତି ୮ଟାରୁ କର୍ଫ୍ୟୁ ଘୋଷଣା କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି
ମେଘାଳୟରେ ଆଇନଶୃଙ୍ଖଳା ସ୍ଥିତି ଅତି ଭୟଙ୍କର ହୋଇଛି। ଏଥିପାଇଁ ରାଜ୍ୟରେ ଇଣ୍ଟର୍ନେଟ୍ ସେବା ବନ୍ଦ କରାଯିବା ସହିତ କର୍ଫ୍ୟୁ ଲଗାଇଛନ୍ତି ମେଘାଳୟ ପ୍ରଶାସନ। ରାଜ୍ୟରେ ବ୍ୟାନ୍ ହୋଇଥିବା ସନ୍ତ୍ରାସବାଦୀ ସଂଗଠନ HNLC(Hynniewtrep National Liberation Council)ର ପୂର୍ବତନ ନେତା ଚେଷ୍ଟେରଫାଇଲ୍ଡ ଥାଙ୍ଖିୟୁର ପୁଲିସ ଗୁଳିରେ ମୃତ୍ୟୁ ହେବା ପରେ ରାଜ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏଥିପାଇଁ ୪ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି ମେଘାଳୟ ସରକାର। ରାଜଧାନୀ ଶିଲଂଓ ଅନ୍ୟ ଅଞ୍ଚଳଗୁଡ଼ିକରେ ଲଗାତର ବିରୋଧ ପ୍ରଦର୍ଶନ କରାଯାଉଛି। ରାଜ୍ୟରେ ଆଇନ୍ଶୃଙ୍ଖଳା ସ୍ଥିତି ବିଗିଡ଼ିଯିବାରୁ ୪ ଜିଲ୍ଲା- ପୂର୍ବ ଖାସି ହିଲ୍, ପଶ୍ଚିମ ଖାସି ହିଲ, ଦକ୍ଷଣ-ପଶ୍ଚିମ ଖାସି ହିଲ ଏବଂ ରି-ଭୋଇରେ ସନ୍ଧ୍ୟା ୬ଟା ଠାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟର୍ନେଟ୍ ସେବା ବନ୍ଦ କରାଯାଇଛି।
ଏନେଇ ମେଘାଳୟ ଗୃହ ବିଭାଗର ସଚିବ ସିଭିଡି ଡିଏଙ୍ଗଡୋହ ନୋଟିସ୍ ଜାରି କରିଛନ୍ତି। ନୋଟିସ୍ରେ କୁହାଯାଇଛି ଯେ ରାଜ୍ୟରେ ଅନେକ ସ୍ଥାନରେ ଭଙ୍ଗାରୁଜା ହୋଇଛି, ପ୍ରଦର୍ଶନକାରୀମାନେ ଜଳାପୋଡ଼ା କରିଛନ୍ତି ଯାହା ରାଜ୍ୟରେ ଶାନ୍ତି ଭଙ୍ଗ କରିବା ସହିତ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ଫଳରେ ଏହି ସ୍ଥାନଗୁଡ଼ିକରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଛି। ତେଣୁ ଏସବୁକୁ ରୋକିବାକୁ ଇଣ୍ଡିଆନ ଟେଲିଗ୍ରାଫ ଆକ୍ଟ ୧୮୮୪ର ଧାରା (ii) ଅନୁସାରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟର୍ ନେଟ୍ ସେବା ବ୍ୟାନ କରାଯାଉଛି ହୋଲି ନୋଟିଫିକେସନ୍ରେ ଲେଖାଯାଇଛି। ଅନ୍ୟପଟେ ଶିଲଂର ଡେପୁଟି କମିଶନର କର୍ଫ୍ୟୁ ଲଗାଇଛନ୍ତି। ଅଗଷ୍ଟ ୧୫ ସନ୍ଧ୍ୟା ୮ରୁ ଅଗଷ୍ଟ ୧୭ ତାରିଖ ସକାଳ ୫ଟା ଯାଏ କର୍ଫ୍ୟୁ ଲଗାଯାଇଛି।
