ଆଫଗାନିସ୍ତାନରୁ ୧୨୯ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ଏୟାର ଇଣ୍ଡିଆ ବିମାନ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନୀଙ୍କ ପ୍ରଭାବ ବଢିବାରେ ଲାଗିଛି । ଏହାରି ମଧ୍ୟରେ ରବିବାର ସନ୍ଧ୍ୟାରେ ରାଜଧାନୀ କାବୁଲରୁ ୧୨୯ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି ଏୟାର ଇଣ୍ଡିଆର ଏଆଇ-୨୪୪ ବିମାନ । ବିମାନଟି କାବୁଲ ଏୟାରପୋର୍ଟରୁ ଉଡାଣ ଆରମ୍ଭ କରି ରବିବାର ସନ୍ଧ୍ୟା ୭.୪୫ରେ ନୂଆଦିଲ୍ଲୀରେ ପହଞ୍ଚିଛି। ଆସନ୍ତାକାଲି ମଧ୍ୟ କାବୁଲ ଓ ନୂଆଦିଲ୍ଲୀ ମଧ୍ୟରେ ଏୟାର ଇଣ୍ଡିଆର ବିମାନ ଚଳାଚଳ ଜାରି ରହିବ। ଏୟାର ଇଣ୍ଡିଆର ଜଣେ ଅଧିକାରୀ ଏହା ପ୍ରକାଶ କରିଛନ୍ତି।
କାବୁଲକୁ ତାଲିବାନ ଦଖଲ କରିନେବା ପରେ ସହରର ସୁରକ୍ଷା ବିପନ୍ନ ହୋଇପଡ଼ିଛି । ଯଦିଓ କାବୁଲ ଏୟାରପୋର୍ଟ ଏବେ ବି ଆମେରିକା ସେନା ଅଧିନରେ ରହିଛି, କିନ୍ତୁ ଆଫଗାନିସ୍ତାନ ଆକାଶ ଅସୁରକ୍ଷିତ ହୋଇପଡ଼ିଥିବାରୁ ବେସାମରିକ ବିମାନ ଚଳାଇବା ବିପଦପୂର୍ଣ୍ଣ ହୋଇପଡ଼ିଛି । ତେବେ ଏୟାର ଇଣ୍ଡିଆ କାବୁଲକୁ ଉଡାଣ ବନ୍ଦ କରିନାହିଁ। ସୋମବାର କାବୁଲ ଓ ଦିଲ୍ଲୀ ମଧ୍ୟରେ ବିମାନ ଚଳାଚଳ କରିବ ବୋଲି ସୂଚନା ରହିଛିି। ଅନ୍ୟପକ୍ଷରେ କାର୍ଯ୍ୟକାରୀ ପ୍ରତିରକ୍ଷା ମନ୍ତ୍ରୀ ବିସ୍ମିଲ୍ଲା ମହମ୍ମଦ କହିଛନ୍ତି ଯେ ରାଷ୍ଟ୍ରପତି ଦେଶର ସଙ୍କଟକୁ ସମାଧାନ କରିବାକୁ ରାଜନୈତିକ ନେତାଙ୍କୁ କ୍ଷମତା ହସ୍ତାନ୍ତର କରିଛନ୍ତି । ମହମ୍ମଦୀ କହିଛନ୍ତି ଯେ ଆସନ୍ତା ସୋମବାର ଦିନ ଏକ ପ୍ରତିନିଧି ଦଳ ଦୋହା ଗସ୍ତରେ ଆସି ଦେଶର ପରିସ୍ଥିତି ବିଷୟରେ ଆଲୋଚନା କରିବେ। ଏହି ପ୍ରତିନିଧି ଦଳରେ ୟୁନୁସ କାନୋନାନି, ଅହମ୍ମଦ ୱାଲି ମାସୁଦ, ମହମ୍ମଦ ମୋହକିକଙ୍କ ସମେତ ଅନ୍ୟ ରାଜନେତାମାନେ ମଧ୍ୟ ରହିବେ । ତାଲିବାନର ନିକଟ ସୂତ୍ରରୁ ପ୍ରକାଶ ଯେ, ରାଜନୈତିକ ସମାଧାନ ପରେ ଘାନି ଇସ୍ତଫା ଦେବେ ଏବଂ କ୍ଷମତା ଅନ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ। ଆଫଗାନିସ୍ତାନ କହିଛି ଯେ ଏକ ରାଜନୈତିକ ସମାଧାନ ଏବଂ ଦେଶରେ ଚାଲିଥିବା ହିଂସାକୁ ସମାପ୍ତ କରିବାକୁ ଚାହୁଁଛନ୍ତି। ଆଫଗାନିସ୍ତାନ ନାଗରିକମାନେ ଭୟ କରୁଛନ୍ତି ଯେ ତାଲିବାନ ସରକାର ପୁନର୍ବାର ଏକ ନିର୍ଦ୍ଦୟ ଶାସନ ଲାଗୁ କରିପାରନ୍ତି ଯାହା ସମସ୍ତ ମହିଳାଙ୍କ ଅଧିକାରକୁ ଶେଷ କରିବ। ସୂଚନା ଯେ, ତାଲିବାନର ଯୋଦ୍ଧାମାନେ ଏବେ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ଚାରିପଟୁ ଘେରି ରଖିଛନ୍ତି । କ୍ଷମତା ହସ୍ତାନ୍ତର ପାଇଁ ତାଲିବାନ ଓ ଆଫଗାନ ସରକାରଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବାରୁ ହିଂସା ନ କରିବାକୁ ତାଲିବାନର ନେତୃତ୍ବ ନିଜ ଯୋଦ୍ଧାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
