କାରଖାନା ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣକୁ ଗ୍ରାମବାସୀଙ୍କ ବିରୋଧ
କେନ୍ଦୁଝର : କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଫୁଲଝରସ୍ଥିତ ଆଡେର୍ଣ୍ଟ ଷ୍ଟିଲ କାରଖାନା ସମ୍ପ୍ରସାରଣ ପାଇଁ ଆବଶ୍ୟକ ଜମି ନିମନ୍ତେ ସ୍ଥାନୀୟ ଲୋକଙ୍କ ଜମି ଅଧିଗ୍ରହଣ କରିବାକୁ କାରଖାନା କର୍ତୃପକ୍ଷଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ୨୦୦୮ ମସିହାରୁ କାର୍ଯ୍ୟକ୍ଷମ ଏହି କାରଖାନା ପ୍ରତିଷ୍ଠା ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ସହ ଲୋକଙ୍କୁ ପ୍ରତାରଣା କରିଥିବାରୁ ପ୍ରଭାବିତ ଗ୍ରାମବାସୀ ପୁନଶ୍ଚ କାରଖାନା ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣକୁ ବିରୋଧ କରୁଥିବା ସ୍ଥାନୀୟ ସରପଂଚ ଗୋବିନ୍ଦ ଚନ୍ଦ୍ର ଦେହୁରୀଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଶୁକ୍ରବାର ଜିଲାପାଳଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । କାରଖାନା ସମ୍ପ୍ରସାରଣ ପାଇଁ ଜନଶୁଣାଣୀ ନକରି କିଭଳି ଭାବେ କମ୍ପାନୀ କର୍ତୃପକ୍ଷ ସମ୍ପ୍ରସାରଣ ଅନୁମତି ହାସଲ କଲେ ସେନେଇ ପଂଚାୟତବାସୀ ପ୍ରଶ୍ନ କରିବା ସହ ମିଳିଥିବା ମଞ୍ଜୁରୀର ପୁନର୍ବିଚାର କରାଯାଉ ବୋଲି ପୁରୁଷୋତମ ଦେହୁରୀ ଦାବି କରିଛନ୍ତି । ନ୍ୟାୟପୂର୍ଣ୍ଣ ଜମି ଅଧିଗ୍ରହଣ ପରିବର୍ତେ କାରଖାନା କର୍ତୃପକ୍ଷ ସ୍ଥାନୀୟ କେତେକ ଅସାମାଜିକ ବ୍ୟକ୍ତିଙ୍କୁ ହାତ କରି ଭୟଭୀତ କରି ଏବଂ କେତେକ ଠିକାଦାରଙ୍କ ଜରିଆରେ ପ୍ରଲୋଭନ ଦେଖାଇ ସ୍ୱଳ୍ପ ମୂଲ୍ୟରେ ଆଦିବାସୀଙ୍କ ଜମିକୁ ହାତେଇବା ଉଦ୍ୟମକୁ ମଦନ ଦେହୁରୀ, ସନାତନ ମହାନ୍ତ, ସଞ୍ଜୟ ମହାନ୍ତ, ସୁଲୋଚନା କୁଆରୁଳି, ଶ୍ରୀମତୀ ଦେହୁରୀ, ହେମନ୍ତ ମହାନ୍ତ ପ୍ରମୁଖ ତୀବ୍ର ବିରୋଧ କରିଛନ୍ତି । ଏନେଇ ଗ୍ରାମବାସୀ ଜିଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିବା ବେଳେ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲାପାଳ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିବା ପୁରୁଷୋତମ ଦେହୁରୀ କହିଛନ୍ତି ।
