ଗୋଚର ଜମିରେ ସରକାରୀ ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ
ବାଲେଶ୍ୱର : ଗୋଚର ଜମିରେ ସରକାରୀ ପ୍ରକଳ୍ପକୁ ବିରୋଧ । ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ଅନୁଦାନରେ ଗୋଚର ଜମିରେ ହେଉଥିବା ପ୍ରକଳ୍ପ ନିର୍ମାଣକୁ ବିରୋଧ କରିଛନ୍ତି ବାଲେଶ୍ୱର ଜିଲା ରେମୁଣାର ମନ୍ଦାରପୁର ପଞ୍ଚାୟତବାସୀ । ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଜିଲାପାଳଙ୍କୁ ସାକ୍ଷାତ ସହ ସରକାରୀ ନିୟମ ଉଲଂଘନ କରି ନିର୍ମାଣ ହେଉଥିବା ଗୋଷ୍ଠୀ ସାଧନ କେନ୍ଦ୍ର ସମ୍ପର୍କରେ ଅବଗତ କରିଥିଲେ ।
ସେମାନଙ୍କ ଆପତ୍ତି ଅନୁସାରେ ରେମୁଣା ବ୍ଲକ ଅନ୍ତର୍ଗତ ମନ୍ଦାରପୁର ଗ୍ରାମର ୮୦ ପ୍ରତିଶତ ତଫସିଲଭୁକ୍ତ ଜାତି ଓ ଉପ-ଜାତି ବସବାସ କରନ୍ତି । ଅଧିକାଂଶ ବ୍ୟକ୍ତି କୃଷି ଉପରେ ନୀର୍ଭରଶୀଳ । ଏହି ଗ୍ରାମର ପ୍ରାୟ ସମସ୍ତ ପରିବାର ଗୋରୁ, ଗାଈ, ଛେଳି ପ୍ରଭୃତି ଗୃହପାଳିତ ପଶୁ ରଖିଛନ୍ତି । ସୋନ ନଦୀକୂଳରେ ଅବସ୍ଥିତ ଏହି ମନ୍ଦାରପୁର ମୌଜାର ୫୮୫ ଖାତା ତଥା ୧୧୧୨ ନଂ. ପ୍ଲଟ ବିଶିଷ୍ଟ ଗୋଚର ଜମିକୁ ଗ୍ରାମବାସୀମାନେ ଦୀର୍ଘଦିନ ଧରି ଗୃହପାଳିତ ପଶୁଙ୍କ ପାଇଁ ବ୍ୟବହାର କରିଆସୁଛନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ମଞ୍ଜୁର ୮ଲକ୍ଷ ଟଙ୍କାର ଗୋଷ୍ଠୀ ସାଧନ କେନ୍ଦ୍ର ପ୍ରକଳ୍ପକୁ ସ୍ଥାନୀୟ ସରପଞ୍ଚ ଜୋର ଜବରଦସ୍ତ ଏହି ଗୋଚର ଜମିରେ ନିର୍ମାଣ କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।ଏହି ପ୍ରକଳ୍ପକୁ ତୁରନ୍ତ ସ୍ଥାନାନ୍ତର ପାଇଁ ରେମୁଣା ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବାକୁ ସେମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ନଚେତ୍ ଆଗାମୀ ଦିନରେ ଏହାକୁ ନେଇ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଅବସରରେ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ।
