ଚିର ନିଦ୍ରାରେ ବର୍ଷୀୟାନ ବଲିଉଡ୍ ଅଭିନେତା ଦିଲୀପ କୁମାର
ମୁମ୍ବାଇ : ବଲିଉଡ ପାଇଁ ପୁଣି ଏକ ବଡ଼ ଦୁଃଖଦ ଖବର । ପରଲୋକରେ ବର୍ଷୀୟାନ ବଲିଉଡ୍ ଅଭିନେତା ଦିଲ୍ଲୀପ କୁମାର । ସେ ଆଜି(ବୁଧବାର) ମୁମ୍ବାଇର ହିନ୍ଦୁଜା ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଦେହତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ଦିଲ୍ଲୀପ କୁମାର ମୃତ୍ୟୁ ଖବର ଶୁଣି ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି ।
With a heavy heart and profound grief, I announce the passing away of our beloved Dilip Saab, few minutes ago.
— Dilip Kumar (@TheDilipKumar) July 7, 2021
We are from God and to Him we return. – Faisal Farooqui
ପୂର୍ବରୁ ତାଙ୍କ ଶ୍ବାସକ୍ରିୟାରେ ସମସ୍ୟା ଉପୁଜିବା ହେତୁ ଜୁନ୍ ୨୯ ତାରିଖରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଜୁନ୍ ୩୦ ତାରିଖରେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲ୍ ଆଇସିୟୁରେ ରଖା ଯାଇଥିଲା। ଚିକିତ୍ସା କାଳରେ ତାଙ୍କ ପତ୍ନୀ ସାଇରା ବାନୁ ତାଙ୍କ ପାଖେପାଖେ ରହିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ପ୍ରଶଂସକଙ୍କୁ ସୂଚନା ଦେଇ ଆସୁଥିଲେ। ଶେଷରେ ସେ ଆଜି ସକାଳ ୭.୩୦ ସମୟରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ୧୯୪୪ ମସିହାରେ ଜଓ୍ୱାର ଭଟ୍ଟ ଜରିଆରେ ବଲିଉଡ଼ରେ ପାଦ ରଖିଥିଲେ ମହମ୍ମଦ ୟୁସୁଫ ଖାନ୍ ଓରଫ ଦିଲ୍ଲୀପ କୁମାର । ଏହାପରେ ଆଉ ଫଛକୁ ଫେରିନଥିଲେ । ପ୍ରାୟ ପାଞ୍ଚ ଦଶନ୍ଧି ଧରି କ୍ୟାରିଅରରେ ଦିଲୀପ କୁମାର ପ୍ରାୟ ୬୦ରୁ ଅଧିକ ଚଳଚ୍ଚିତ୍ର ଅଭିନୟ କରିଥିଲେ । ଦିଲୀପ କୁମାର ତାଙ୍କ କ୍ୟାରିଅରରେ ଅନେକ ଚଳଚ୍ଚିତ୍ରକୁ ପ୍ରତ୍ୟାଖ୍ୟାନ କରିଥିଲେ । କାରଣ ଦିଲୀପ କୁମାର ବିଶ୍ୱାସ କରୁଥିଲେ ଯେ ଚଳଚ୍ଚିତ୍ରଗୁଡ଼ିକ କମ୍ କିନ୍ତୁ ଭଲ ହେବା ଉଚିତ୍ ।
ସୂଚନା ଯେ, ଦିଲୀପ କୁମାରଙ୍କ ପ୍ରକୃତ ନାମ ମହମ୍ମଦ ୟୁସୁଫ ଖାନ । ସେ ୧୧ ଡିସେମ୍ବର ୧୯୨୨ ରେ ଜନ୍ମଗ୍ରହଣ କରିଥିଲେ। ସେ ହିନ୍ଦି ସିନେମାରେ ପ୍ରଥମ ଖାନ ଭାବରେ ଜଣାଶୁଣା । ଦିଲୀପ କୁମାର ୧୯୪୪ ମସିହାରେ ବମ୍ବେ ଟକିଜ୍ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ଜ୍ବାର ଭଟ୍ଟା’ ଫିଲ୍ମରେ ଅଭିନୟର କ୍ୟାରିଅର ଆରମ୍ଭ କରିଥିଲେ । ପ୍ରାୟ ପାଞ୍ଚ ଦଶନ୍ଧିର ଅଭିନୟ କ୍ୟାରିୟରରେ ୬୫ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ । ଦିଲୀପ କୁମାର ଅନ୍ଦାଜ (୧୯୪୯), ଆନ୍ (୧୯୫୨), ଦାଗ୍ (୧୯୫୨), ଦେବଦାସ (୧୯୫୫), ଆଜାଦ (୧୯୫୫), ମୋଗଲ-ଏ-ଆଜମ (୧୯୬୦), ଗଙ୍ଗା ଯମୁନା (୧୯୬୧), ରାମ ଅର ଶ୍ୟାମ ( ୧୯୬୭) ପରି ଚଳଚ୍ଚିତ୍ରରେ ନିଜ ଅଭିନୟର ଛାପ ଛାଡିଛନ୍ତି । ୧୯୭୬ ମସିହାରେ ଦିଲୀପ କୁମାର କାମରୁ ପାଞ୍ଚ ବର୍ଷର ବିରତି ନେଇଥିଲେ । ଏହା ପରେ ୧୯୮୧ ମସିହାରେ ସେ କ୍ରାନ୍ତି ଚଳଚ୍ଚିତ୍ର ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହା ପରେ ୱୋ ଶକ୍ତି (୧୯୮୨), ମଶାଲ (୧୯୮୪), କରମା (୧୯୮୬), ସୌଦାଗର (୧୯୯୧) ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘କିଲା’ ଯାହା ୧୯୯୮ ରେ ମୁକ୍ତିଲାଭ କରିଥିଲା ।
