ଟୁଲ୍କିଟ୍ ପ୍ରସଙ୍ଗରେ ଜନସ୍ୱାର୍ଥ ମାମଲାକୁ ସୁପ୍ରିମକୋର୍ଟର ଖାରଜ
ନୂଆଦିଲ୍ଲୀ : କଂଗ୍ରେସ ଟୁଲକିଟ୍ ମାମଲାର ତଦନ୍ତ ଭାର ଏନ୍ଆଇଏକୁ ଦିଆଯାଉ। ଦେଶବିରୋଧୀ ଆଇନ ଅଧୀନରେ ଅଭିଯୋଗ ଯଦି ସତ୍ୟ ହୋଇଥାଏ ତାହେଲେ କଂଗ୍ରେସ ଦଳର ପଞ୍ଜୀକରଣକୁ ବାତିଲ କରି ଦିଆଯାଉ। ଟୁଲ୍କିଟ୍ ପ୍ରସଙ୍ଗରେ ଏକ ଜନସ୍ବାର୍ଥ ମାମଲା ସଂକ୍ରାନ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସର୍ବୋଚ୍ଚ ଅଦାଲତର ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ଯଦି ଆବେଦନକାରୀ ଟୁଲକିଟ୍କୁ ପସନ୍ଦ କରୁନାହାନ୍ତି ତାହେଲେ ତାହାକୁ ନଦେଖି ଏଡ଼ାଇ ଯାଆନ୍ତୁ। ଟୁଲ୍କିଟ୍ ଟି ରାଜନୈତିକ ଦଳର ଏକ ପ୍ରଚାରପତ୍ର।
ଆବେଦନକାରୀ ଆଇନଜୀବୀ ଶଶାଙ୍କ ଶେଖର ଝା କହିଥିଲେ ସିଙ୍ଗାପୁର ପ୍ରଜାତିର କରୋନା ଭୂତାଣୁ କହିବା ମଧ୍ୟ ଏକ ପ୍ରଚାର ଥିଲା। କିନ୍ତୁ ସିଙ୍ଗାପୁର ଏହାକୁ ଦୃଢ଼ ବିରୋଧ କରିଥିଲା। ଏହାପରେ ବିଚାରପତି ଚନ୍ଦ୍ରଚୂଡ଼ କହିଥିଲେ ଭାରତ ଏକ ଗଣତନ୍ତ୍ର ବୋଲି ତୁମେ ଜାଣିଛ ତ? ଗଣତନ୍ତ୍ରରେ ରାଜନୈତିକ ପ୍ରଚାରକୁ କେବେ ନିୟନ୍ତ୍ରଣ କରାଯାଇ ପାରିବ କି ବୋଲି ବିଚାରପତି ପ୍ରଶ୍ନ କରିଥିଲେ। ଦୁଇଜଣିଆ ଖଣ୍ଡପୀଠର ଅନ୍ୟତମ ବିଚାରପତି ଏମ ଆର ଶାହ କହିଥିଲେ ଯେ ଟୁଲକିଟ୍ ମାମଲାରେ ଅପରାଧିକ ତଦନ୍ତ ଏବେ ମଧ୍ୟସରିନାହିଁ। ସମ୍ବିଧାନର ଧାରା ୩୨ ବଦଳରେ ଆବେଦନକାରୀ ଅନ୍ୟ ବିକଳ୍ପର ଉପଯୋଗ କରିବା ଆବଶ୍ୟକ। ଧାରା ୩୨ ଅଧୀନରେ ଜଣେ ବ୍ୟକ୍ତିଙ୍କୁ ସୁପ୍ରିମ କୋର୍ଟରେ ଆବେଦନ କରିବାର ଅଧିକାର ମିଳିଥାଏ। ଏକ ସାମଗ୍ରିକ ପିଟିସନ ଭାବେ ସମ୍ବିଧାନର ଧାରା ୩୨ ଅଧୀନରେ ଏ ନେଇ ନିର୍ଦ୍ଦେଶନାମା ଦିଆଯାଇ ପାରିବ ନାହିଁ ବୋଲି ଦୁଇ ଜଣିଆ ଖଣ୍ଡପୀଠ କହିଥିଲେ। ରାଜନୈତିକ ଦଳମାନଙ୍କ ଲାଗି ଗାଇଡଲାଇନ୍ସ ପ୍ରସ୍ତୁତ କରିବା ନିମନ୍ତେ କେନ୍ଦ୍ରକୁ ନିର୍ଦେଶ ଦେବାଲାଗି ତାଙ୍କର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ସହିତ ଏଭଳି ପିଟିସନ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। କହିଥିଲେ ଯେ ଅନେକ ସମୟରେ କିଛି ବ୍ୟକ୍ତି ଅଦାଲତକୁ କିଛି ତୁଚ୍ଛ ବା ଗୁରୁତ୍ବହୀନ ମାମଲା ନେଇ ଆସୁଛନ୍ତି। ତେଣୁ ଏଭଳି ତୁଚ୍ଛ ମାମଲା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଯାଇଛି।
