ଉତ୍ତରାଖଣ୍ଡର ବର୍ଷା ବିତ୍ପାତ : ଶ୍ରମିକଙ୍କ ଘର ଉପରେ ଭୁଷୁଡିଲା ସୁରକ୍ଷା ପ୍ରାଚୀର, ୫ ମୃତ
ନୈନିତାଲ : ଉତ୍ତରାଖଣ୍ଡର ବର୍ଷା ବିତ୍ପାତ ଜାରି ରହିଛି। ରବିବାର ଠାରୁ ଲଗାଣ ବର୍ଷା ଲାଗି ରହିଥିବା ବେଳେ ସେଠାରେ ଏବେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ମଙ୍ଗଳବାର ସକାଳ ସମୟରେ ନୈନିତାଲ ଜିଲାର ଧାରୀ ବ୍ଲକ ଅନ୍ତର୍ଗତ ଚୌଖୁଟା ଗାଁରେ ବର୍ଷା ପ୍ରଭାବରେ ଶ୍ରମିକଙ୍କ ଘର ଉପରେ ରାସ୍ତାକଡରେ ଥିବା ସୁରକ୍ଷା ପ୍ରାଚୀର ଭୁଷୁଡି ପଡିଛି। ଏଥିରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାସହ ମାଟିତଳୁ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ମାଟି ତଳେ ଏକାଧିକ ଲୋକ ଚାପି ହୋଇ ରହିଛନ୍ତି । ଉଦ୍ଧାରକାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ସେହିପରି ଖେରନାରେ ଝୁମ୍ପୁଡି ଉପରେ ପଥର ଖସିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଖବର ମିଳିଛି। ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ରାସ୍ତା ବନ୍ଦ ହୋଇ ରହିଥିବା ବେଳେ ରାସ୍ତା ଗୁଡିକୁ ସଠିକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ହୋଇଥିବା ବାଦଲ ଫଟା ବର୍ଷା ପାଇଁ ମାଟି ଅତଡ଼ା ଖସିବାରୁ ଅନେକ ଲୋକ ମାଟି ତଳେ ଚାପି ହୋଇଯାଇଥିବା ନେଇ ଜଣାପଡ଼ିଛି। ଏନେଇ ଖବର ମିଳିବା ପରେ ପୋଲିସ ଟିମ୍ ଏବଂ ପ୍ରଶାସନ ଉଦ୍ଧାରକାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେହିପରି ସ୍କୁଲ ବନ୍ଦ ରଖାଯିବା ସହ ଯାତ୍ରୀମାନଙ୍କୁ ଆସିବାକୁ ବାରଣ କରାଯାଇଛି। ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପାଇଁ ସୋମବାର ଦିନ ନେପାଳର ତିନିଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାରୁ ରବିବାର ସୁଦ୍ଧା ହରିଦ୍ୱାର ଏବଂ ଋଷିକେଶରେ ପହଞ୍ଚିଥିବା ତୀର୍ଥଯାତ୍ରୀମାନଙ୍କୁ ପାଗ ଭଲ ନହେବା ପର୍ଯ୍ୟନ୍ତ ହିମାଳୟ ମନ୍ଦିରକୁ ନ ଯିବାକୁ କୁହାଯାଇଛି। ଉତ୍ତରାଖଣ୍ଡ ସମେତ କେରଳରେ ମଧ୍ୟ ବର୍ଷା ତାଣ୍ଡବ ରଚିଛି। ପ୍ରାୟ ୪୧ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ବନ୍ୟା ପରିସ୍ଥିିତି ସୃଷ୍ଟି ହେବା ନେଇ ହାଇ ଆଲର୍ଟ ଜାରି କରାଯାଇଛି। ବର୍ଷା ନକମିଲେ ସ୍ଥିତି ଆହୁରି ବିଗିଡ଼ିବ ବୋଲି କୁହାଯାଉଛି।
