ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ-୨୦୨୨ : ସରିଲା ଷଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ
ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ମାର୍ଚ୍ଚ ୩ ତାରିଖ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ଷଷ୍ଠ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ରାଜ୍ୟର ଆମ୍ବେଦକର, ବଳରାମପୁର, ସିଦ୍ଧାର୍ଥନଗର, ବସ୍ତି, ସନ୍ଥକବୀର ନଗର, ମହାରାଜଗଞ୍ଜ, ଗୋରଖପୁର, କୁଶୀନଗର, ଦେୱରିୟା, ବଲିୟା ପ୍ରଭୃତି ୧୦ ଜିଲ୍ଲାର ୫୭ ଆସନରେ ହୋଇଥିଲା ମତଦାନ। ଏଠାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୫୩.୩୧% ମତଦାନ ହୋଇଛି।
ମତଦାନ ଉପରେ ନଜର ରଖିବା ପାଇଁ ନିର୍ବାଚନ କମିଶନ ୫୬ ସାଧାରଣ ପର୍ଯ୍ୟବେକ୍ଷକ, ୧୦ ପୋଲିସ ପର୍ଯ୍ୟବେକ୍ଷକ ଏବଂ ୧୮ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରିଥିଲେ। ଏହା ବ୍ୟତୀତ ୧୬୮୦ ସେକ୍ଟର ମାଜିଷ୍ଟ୍ରେଟ, ୨୨୮ ଜୋନାଲ ମାଜିଷ୍ଟ୍ରେଟ, ୧୭୩ ଷ୍ଟେଟିକ ମାଜିଷ୍ଟ୍ରେଟ ଏବଂ ୨୧୩୭ ମାଇକ୍ରୋ ଅବଜରର୍ଭର ମଧ୍ୟ ନିୟୋଜିତ ହୋଇଥିଲେ। ଏହା ସହିତ ଜଣେ ରାଜ୍ୟ ସ୍ତରୀୟ ସିନିୟର ଜେନେରାଲ ପର୍ଯ୍ୟବେକ୍ଷକ, ଜଣେ ବରିଷ୍ଠ ପୋଲିସ ପର୍ଯ୍ୟବେକ୍ଷକ ଏବଂ ୨ ଜଣ ସିନିୟର ଖର୍ଚ୍ଚ ପର୍ଯ୍ୟବେକ୍ଷକ ମଧ୍ୟ ରାଜ୍ୟ ସ୍ତରରେ ନିୟୋଜିତ ହୋଇଥିଲେ। ଭୋଟ୍ ଗ୍ରହଣ ବେଳେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୭୯୭.୯୪ କମ୍ପାନୀ ଅର୍ଦ୍ଧ ସାମରିକ ବଳ ମୁତୟନ ହୋଇଥିଲେ।
ଷଷ୍ଠ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମନ୍ତ୍ରୀ ଜୟ ପ୍ରତାପ ସିଂହ, ମନ୍ତ୍ରୀ ସତୀଶ ଦ୍ୱିବେଦୀ, ପୂର୍ବତନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲୁଙ୍କ ଭଳି ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାତା। ଏହି ନିର୍ବାଚନ ଲାଗି ୭ ମାର୍ଚ୍ଚରେ ହେବ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ। ୧୦ ମାର୍ଚ୍ଚରେ ପ୍ରକାଶ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ।
