ୟୁକ୍ରେନକୁ କେହି ହରାଇ ପାରିବେ ନାହିଁ : ୟୁକ୍ରେନ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଋଷିଆ-ୟୁକ୍ରେନ ଯୁଦ୍ଧ ଆଜି ଅଷ୍ଟମ ଦିନରେ ପହଞ୍ଚିଛି । ୟୁକ୍ରେନ ସେନାର ସମସ୍ତ ପ୍ରତିଷ୍ଠାନ ଧ୍ୱଂସ କରିବା ପାଇଁ ଋଷ ସେନା ଅହରହ ଆକାଶ ମାର୍ଗରୁ ବୋମା ମାଡ ଜାରି ରଖିଛି । ୟୁକ୍ରେନ ଗୋଟିଏ ପରେ ଗୋଟିଏ ସହର ଦଖଲ କରି ଚାଲିଛି ଋଷ ସେନା । ରାଜଧାନୀ କିଭର ପତନ ଘଟାଇବାକୁ ଋଷ ନିର୍ଣ୍ଣାୟକ ଲଢେଇ ପାଇଁ ସଜବାଜ ହେଉଛି । ଯୁଦ୍ଧ ଭିତରେ ବଡ ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । କହିଲେ ୟୁକ୍ରେନକୁ କେହି ହରାଇ ପାରିବେ ନାହିଁ ।
ରୁଷ ଯେତେ ଅସ୍ତ୍ରଶସ୍ତ୍ର ଠୁଳ କଲେ ବି ୟୁକ୍ରେନଠାରୁ ବିଜୟୀ ହୋଇପାରିବନି । ରୁଷ-ୟ୍ରୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନ ବାସୀଙ୍କୁ ଏପରି ଆଶ୍ୱାସନା ଦେଇଛନ୍ତି ଜେଲେନସ୍କି । ରୁଷ ସେନାକୁ କଡ଼ା ଜବାବ ଦିଆଯିବ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି । ସେପଟେ ରୁଷର ୩୦ ଯୁଦ୍ଧ ବିମାନ ଓ ୩୧ଟି ହେଲିକପ୍ଟର ମାରି ଖରାଇ ଦେଇଥିବା ଜେଲେନସ୍କି ଦାବି କରିଛନ୍ତି । ଅନ୍ୟପଟେ ୟୁକ୍ରେନ ସୁରକ୍ଷାବାହିନୀର ସମସ୍ତ ପ୍ରତିଷ୍ଠାନକୁ ଧ୍ୱଂସ କରାଯିବ । ସାମରିକ ଶକ୍ତିକୁ ନିଷ୍କ୍ରିୟ କରାଯିବ । ଏହି ଲକ୍ଷ୍ୟରେ ୟୁକ୍ରେନ ବିରୋଧରେ ଲଢେଇ ଚାଲିଛି ବୋଲି ଋଷିଆ ବିଦେଶ ମନ୍ତ୍ରୀ ସର୍ଗଇ ଲାଭରୋଭ କହିଛନ୍ତି । ଋଷିଆର ସରକାରୀ ଗଣମାଧ୍ୟମ ସ୍ପୁଟନିକକୁ ଏକ ସାକ୍ଷାତାକାର ଦେଇ ସର୍ଗଇ କହିଛନ୍ତି ତୃତୀୟ ବିଶ୍ୱ ଯୁଦ୍ଧ ହେଲେ ପରମାଣୁ ଅସ୍ତ୍ର ସାମିଲ ହେବ ।
