ଆଜିଠୁ ଏଫ୍ଏମ୍ୟୁରେ “ଉନରୁମ୍” ଆନ୍ତର୍ଜାତୀୟ ଉତ୍ସବ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ (ଏଫ୍ଏମ୍ୟୁ)ରେ ଗୁରୁବାର ଠାରୁ ତିନି ଦିନ ଧରି ଅନୁଷ୍ଠିତ ହେବ “ଉନରୁମ୍” ଆନ୍ତର୍ଜାତୀୟ ଉତ୍ସବ । “ଉନରୁମ୍” ଏକ ମୁଣ୍ଡାରି ଶବ୍ଦ, ଯାହାର ଅର୍ଥ ହେଉଛି ପରିଚିତି ବା ଅସ୍ମିତା । ଲୋକସାହିତ୍ୟ, ଲୋକକଳା ଓ ଲୋକସଂସ୍କୃତିକୁ ଲୋକାଭିମୁଖୀ କରିବା ପାଇଁ ଏଫ୍ଏମ୍ ବିଶ୍ୱବିଦ୍ୟାଳୟ ଓ ୟଙ୍ଗ୍ ହାର୍ଟ ସଂସ୍ଥା ମିଳିତ ଭାବେ ଆୟୋଜନ କରୁଛନ୍ତି ଉତ୍ସବ । ଏଥିପାଇଁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ ପ୍ରାଧ୍ୟାପିକା, ପ୍ରାଧ୍ୟାପକ ବିଭିନ୍ନ କାର୍ଯ୍ୟର ଦାୟିତ୍ୱ ନେଇଛନ୍ତି ।
ଏହି ତ୍ରିଦିବସୀୟ ଉତ୍ସବରେ ଚାରୋଟି କର୍ମଶାଳା ଯଥା – ଥିଏଟର, ଚିତ୍ରକଳା, ତାଳପତ୍ର ଲିଖନ, ଜଉ କଣ୍ଢେଇ ଏବଂ ଚାରୋଟି ପ୍ରଦର୍ଶନୀ ଯଥା – ଭୂତାତ୍ତ୍ୱିକ ବସ୍ତୁ, ପ୍ରତ୍ନତାତ୍ତ୍ୱିକ ବସ୍ତୁ, ଫଟୋ ଓ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଏଥି ସହିତ ଦେଶ ତଥା ବିଦେଶରୁ ଆସିଥିବା ଗବେଷକ, ସଂସ୍କୃତି ନୃତ୍ୟଦଳ ଏଥିରେ ଅଂଶଗ୍ରହଣ କରିବେ । ଅତିଥି ଭାବରେ ନେଦରଲାଣ୍ଡର ପ୍ରଫେସର ମୋହନ କେ ଭଗତ, କାଲିଫର୍ଣ୍ଣିଆର ନାନ୍ସି ପପ୍, ଶ୍ରୀଲଙ୍କାର ନୃତ୍ୟଦଳ ଓ ବାଂଲାଦେଶର ଚିତ୍ରଶିଳ୍ପୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥି ସହିତ ଚିତ୍ର ତାରକା ଅଶୃମୋଚନ ମହାନ୍ତି, ଚିତ୍ରଶିଳ୍ପୀ ଅଦ୍ୱୈତ ଗଡ଼ନାୟକ, ନୃତ୍ୟାଙ୍ଗନା ଇଲିଆନା ସିତାରିଷ୍ଟ ଓ ଭାରତବର୍ଷର ୧୫ଟି ପ୍ରଦେଶରୁ କଳାକାର ଓ ଶିଳ୍ପୀ ଯୋଗଦେବେ । ଏହି ଉତ୍ସବକୁ ମହକରେ ଭରିବା ପାଇଁ ବିଭିନ୍ନ ହସ୍ତକଳା ଶିଳ୍ପ, ପିଠାଘର, ବାଲେଶ୍ୱରୀ ପାନଘର, ବାଲୁକା କଳା, ଜଉକଣ୍ଢେଇ, ମୃତ୍ତିକାଶିଳ୍ପ ଓ କାଷ୍ଠଶିଳ୍ପରେ ସଜା ଯାଇଛି । ଏହି ଉତ୍ସବ ତିନିଦିନ ଧରି ପୂର୍ବାହ୍ନ ୧୦ ଘଟିକାରୁ ରାତି ୮ ଘଟିକା ପର୍ଯ୍ୟନ୍ତ ଚାଲିବ । ଏହି ଉତ୍ସବ ମାଧ୍ୟମରେ ଲୋକ ଜୀବନର ପରିଚିତି ଖୋଜିବାର ସଂକଳ୍ପ ନିଆଯାଇ ଥିବାବେଳେ ଏହି ଉତ୍ସବରେ ସମସ୍ତେ ଯୋଗଦେଇ ଲୋକ ଧାରାକୁ ପ୍ରୋତ୍ସାହନ କରିବା ପାଇଁ କୁଳପତି ପ୍ରଫେସର ତ୍ରିପାଠୀ ନିବେଦନ କରିଛନ୍ତି ।
