ପୋଲତଳୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ଘଟଣା; ମିଳିଲା ମୃତକଙ୍କ ପରିଚୟ
ବାଲେଶ୍ୱର : ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ବାଇପାସ୍ ନିକଟସ୍ଥ ଏକ ପୋଲତଳୁ ଗତ ୧୬ ତାରିଖରେ ଜଣେ ଅଜଣା ଯୁବକଙ୍କ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ଜବତ ହୋଇଥିଲା । ପାରିପାର୍ଶ୍ୱିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଥିଲା । ବସ୍ତା ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜକ୍ଷରି ରଖିଥିଲା । ୭ ଦିନ ପରେ ମୃତକଙ୍କ ପରିଚୟ ଜଣା ପଡ଼ିଛି । ମୃତ ଯୁବକ ହେଲେ ଆସାମ ଅଞ୍ଚଳର ଗୋବିନ୍ଦ ମୋଦକ୍ (୨୮) । ସେ ଜଣେ ଡ୍ରାଇଭର ଅଟନ୍ତି ବୋଲି ପୋଲିସ କହିଛି ।
ସେ କିଛିଦିନ ତଳେ ଏକ ଗାଡ଼ିନେଇ ଓଡ଼ିଶା ଆସିଥିବା ବେଳେ ନିଖୋଜ ଥିଲେ । ପୋଲ ତଳ ନାଳୁଆ ମୁହଁରେ ଏହି ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବସ୍ତା ପୋଲିସକୁ ଖବର ଦେଇଥିଲେ । ବସ୍ତା ଏସ୍ଡିପିଓ ଜଳନ୍ଧର ଜାଲି, ମାଜିଷ୍ଟ୍ରେଟ ଭାବେ ତହସିଲଦାର କାର୍ତ୍ତିକ କୁମାର ଦାସ, ଆଇଆଇସି ବାରିଣୀ ଦାସ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ôଚ ମୃତଦେହ ଜବତ କରିଥିଲେ । ଏହି ହତ୍ୟାକାଣ୍ଡ ଅନ୍ୟତ୍ର ହୋଇଥିବା ବେଳେ ଏଠାରେ ଆଣି ମୃତଦେହକୁ ଫିଙ୍ଗା ଯାଇଥିବା ଅନୁମାନ କରାଯାଉଥିଲା । ତେବେ ତାଙ୍କ ହତ୍ୟାର ପ୍ରକୃତ କାରଣ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରହିଛି ।
