ଏଫଏମୟୁରେ ‘ଉନରୁମ୍’ ଓ ‘ପ୍ରାକ୍’ ଲୋଗୋ ଉନ୍ମୋଚିତ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ଵବିଦ୍ୟାଳୟ (ଏଫଏମୟୁ) ଠାରେ ‘ଉନରୁମ୍’ କାର୍ଯ୍ୟକ୍ରମର ଲୋଗୋ ଆନୁଷ୍ଠାନିକ ଭାବରେ ଉନ୍ମୋଚିତ ହୋଇଯାଇଛି। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ବିଧିବଦ୍ଧ ଭାବେ ଏହାକୁ ଉନ୍ମୋଚନ କରିଥିଲେ।
ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଫକୀର ମୋହନ ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁଥିବା ଏକ ଆନ୍ତର୍ଜାତୀୟ ସ୍ତରର ପାର୍ବଣ ଉତ୍ସବ ତଥା ସାଂସ୍କୃତିକ କାର୍ଯ୍ୟକ୍ରମଟିକୁ ଏହିପରି “ଉନରୁମ୍” ନାମକରଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ନେଦରଲାଣ୍ଡ, ଶ୍ରୀଲଙ୍କା, ବାଂଲାଦେଶ, ୟୁଏସଏ, ଅଷ୍ଟ୍ରେଲିଆ ଆଦି ଦେଶମାନଙ୍କରୁ ଆଦିବାସୀ ଲୋକସଂସ୍କୃତି ଭିତ୍ତିକ ପ୍ରଦର୍ଶନଶୀଳ କଳା ପ୍ରଦର୍ଶନ ନିମିତ୍ତ କଳାକାରମାନଙ୍କୁ ନିମନ୍ତ୍ରଣ କରାଯିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏପରି ହେବାଦ୍ୱାରା ବିଶ୍ୱର ଭିନ୍ନଭିନ୍ନ ପ୍ରାନ୍ତରରେ ପ୍ରଚଳିତ ହେଉଥିବା କଳାଗତ ସୌନ୍ଦର୍ଯ୍ୟ ତଥା ସାଂସ୍କୃତିକ ମୂଲ୍ୟବୋଧର ଗୁରୁତ୍ୱ ସମ୍ପର୍କରେ ବିଦ୍ୟାର୍ଥୀ ଓ ଅନ୍ୟ ସମସ୍ତେ ଅବଗତ ହୋଇପାରିବେ ବୋଲି କୁଳପତି ମହୋଦୟ ପ୍ରକାଶ କରିଥିଲେ। ସଭାରେ କୁଳସଚିବ କୁକୁମୀନା ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ ପ୍ରମୁଖଙ୍କ ସମେତ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ।
ଏଥି ସହିତ ବିଶ୍ଵବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ‘ପ୍ରାକ୍’ ରୌପ୍ୟ ଜୟନ୍ତୀର ଏକ ଲୋଗୋ ମଧ୍ୟ ଉନ୍ମୋଚନ କରାଯାଇଥିଲା। ବିଶ୍ଵବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ପରିପ୍ରେକ୍ଷୀରେ ବିଶ୍ଵବିଦ୍ୟାଳୟର ଲୋଗୋ ସହିତ ଏହି ପ୍ରାକ୍ – ରୌପ୍ୟ ଜୟନ୍ତୀ ଲୋଗୋ ବ୍ୟବହାର କରିବା ପାଇଁ ମତପ୍ରକାଶ ପାଇଥିଲା।
