ପୁଣି ୟୁକ୍ରେନ୍କୁ ଆର୍ଥିକ ସହାୟତା ଘୋଷଣା କଲା ଆମେରିକା
ୱାଶିଂଟନ : ଅଦ୍ୟାବଧି ରୁଷ-ୟୁକ୍ରେନ ଯୁଦ୍ଧ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ସେନା ସହଯୋଗ ପାଇଁ ଯେତେ ଦାବି କଲେ ମଧ୍ୟ ୟୁକ୍ରେନ୍କୁ ଏ ଦିଗରେ ସହଯୋଗ କରୁ ନାହାନ୍ତି ନାଟୋ ଦେଶ। ମୈଦାନରେ ସେନା ଉତାରିଲେ ତୃତୀୟ ବିଶ୍ୱଯୁଦ୍ଧ ହେବ ବୋଲି କହି ପଶ୍ଚିମ ଦେଶଗୁଡ଼ିକ ସିଧାସଳଖ ଯୁଦ୍ଧରୁ ବିରତ ରହୁଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍କୁ ଯୁଦ୍ଧାସ୍ତ୍ର ସହିତ ଅନ୍ୟାନ୍ୟ ସହଯୋଗ ଯୋଗାଇ ଦେଉଛନ୍ତି। ଏହା ବାଦ୍ ଅନ୍ତର୍ଜାତୀୟ ସ୍ତରରେ ମେଳି ବାନ୍ଧିବା ସହ ପ୍ରତିବନ୍ଧକ ଲଗାଇ ଋଷକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ଆଉ ଏବେ ପୁଣି ୟୁକ୍ରେନ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛି ଆମେରିକା। ଏନେଇ ଆମେରିକା ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି। ୟୁକ୍ରେନ୍କୁ ନିଜ ଦେଶର ସୁରକ୍ଷା ଓ ଋଷ ସେନା ସହିତ ଯୁଦ୍ଧ କରିବାକୁ ବଳ ଦେବା ପାଇଁ ଆମେରିକା ସୈନ୍ୟ ଉପକରଣ ସହିତ ଅତିରିକ୍ତ ୩୦ କୋଟି ଡଲାର ସହଯୋଗ ଦେଉଛି ବୋଲି ଆମେରକି ସେନା ପ୍ରବକ୍ତ କହିଛନ୍ତି।
ଆମେରିକା ସେନା ପେଣ୍ଟାଗନର ପ୍ରବକ୍ତା ଜନ୍ କିର୍ବି ସୂଚନା ଦେଇ କହିଛନ୍ତି ଯେ ଆମେରିକା ପଠାଉଥିବା ସୈନ୍ୟ ଉପକରଣ ମଧ୍ୟରେ ଲେଜର ନିର୍ଦ୍ଦେଶିତ ରକେଟ ପ୍ରଣାଳୀ, ମାନବରହିତ ବିମାନ, ଯୁଦ୍ଧ ଯାନ, ଆନ୍ଧାରରେ ଦେଖାଯାଉଥିବା ଉପକରଣ ଓ ଗୋଳାବାରୁଦ ରହିଛି। ଚିକିତ୍ସା ସାମଗ୍ରୀ ସହିତ ଅତିରିକ୍ତ ସହାୟତା ମଧ୍ୟ ୟୁକ୍ରେନକୁ ଯୋଗାଇ ଦିଆଯାଉଛି ବୋଲି କିର୍ବି କହିଛନ୍ତି। କେବଳ ସେତିକି ନୁହେଁ, ୟୁକ୍ରେନ୍କୁ ଆମେରିକା ସେନା ଭଣ୍ଡାରରୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବା ପରିବର୍ତ୍ତେ ୟୁକ୍ରେନ୍କୁ ନୂଆ କ୍ଷମତା ଦେବାକୁ ଏକ ଅନୁବନ୍ଧିତ ପ୍ରକ୍ରିୟାର ଆରମ୍ଭ କରାଯାଉଛି ବୋଲି କିର୍ବି କହିଛନ୍ତି। ସୂଚନା ଥାଉକି, ଋଷ ଆକ୍ରମଣ ପରଠାରୁ ଆମେରିକା ୟୁକ୍ରେନ୍କୁ ୧.୬ ଅରବ ଡଲାରରୁ ଅଧିକ ସୁରକ୍ଷା ସହାୟତା ଯୋଗାଇ ଦେଇଛି।
