ଉତ୍ତର ପ୍ରଦେଶର ନିର୍ବାଚନ ପ୍ରଭାରୀ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ ହେଲେ କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉତ୍ତର ପ୍ରଦେଶରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍ପ୍ରକାଶ ନଡ୍ଡା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି ।
ସେହିପରି, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ଓ ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର, କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ସଂସ୍କୃତି ତଥା ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ୍, ରାଜ୍ୟସଭା ସାଂସଦ ସୁଶ୍ରୀ ସରୋଜ ପାଣ୍ଡେ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦଲାଜେ, ହରିୟାଣା ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ କ୍ୟାପ୍ଟେନ୍ ଅଭିମନ୍ୟୁ, କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ରାଜ୍ୟସଭା ସାଂସଦ ବିବେକ ଠାକୁରଙ୍କୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ସହ-ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି। ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ବିଜେପି ରାଷ୍ଟ୍ରୀୟ ମହାସଚିବ ଏବଂ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହଙ୍କ ସ୍ବାକ୍ଷର ଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି।
