ଅଭାବନୀୟ ଘଟଣା! ବିରିୟାନୀ ଆଣିଲେନି ବାପା, ଜୀବନ ହାରିଲା ନାବାଳକ ପୁଅ
ନୀଳଗିରି : ସାମାନ୍ୟ ବିରିୟାନୀ ପାଇଁ ଗଲା ଜୀବନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବାପା ନିର୍ବାଚନୀ କାର୍ଯ୍ୟରେ ବ୍ୟସ୍ତ ରହିଥିଲେ । ଏହାରି ମଧ୍ୟରେ ତାଙ୍କର ନାବାଳକ ପୁଅ ବିରିୟାନୀ ଖାଇବା ପାଇ ଜିଦ୍ଦି କରିଥିଲେ । ମାତ୍ର ବାପା ବ୍ୟସ୍ତତା ଯୋଗୁଁ ଆଣିପାରି ନଥିଲେ । ଏଥିରେ ରାଗିଯାଇ ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୩ ବର୍ଷର ନାବାଳକ ପୁଅ ଜଣକ ଗାମୁଛାରେ ଫାଶୀ ଲଗାଇ ଜୀବନ ହାରିଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁସାରେ ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ଦକ୍ଷିଣ ନରସିଂହପୁର ପଞ୍ଚାୟତରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ନୀଳଗିରି ଥାନା ଅଧିନ ଗୋବିନ୍ଦପୁର ଗ୍ରାମର ମନୋରଞ୍ଜନ ମହାର୍ଣ୍ଣାଙ୍କ ନାବାଳକ ପୁଅ ସତ୍ୟବ୍ରତ । ବିରିୟାନୀ ପ୍ଲେଟ ଆଣିବାକୁ ବାପାଙ୍କ ଆଗରେ ଦୁଇଦିନ ହେବ ଅଳି କରି ଆସୁଥିଲେ । ହେଲେ ମନୋରଞ୍ଜନ ୱାର୍ଡ଼ ସଭ୍ୟ ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନରେ ବ୍ୟସ୍ତ ଥିଲେ । ତେଣୁ ବ୍ୟସ୍ତତା ଯୋଗୁ ପୁଅ ପାଇଁ ଆଉ ବିରିୟାନୀ ଆଣି ପାରିନଥିଲେ । ଗତ ବୁଧବାର ସତ୍ୟବ୍ରତ ବିରିୟାନୀ ଖାଇବା ପାଇଁ ଅଧିକ ଜିଦ୍ଦି ଧରିଥିଲେ । ହେଲେ କେହି ତାଙ୍କ କଥା ନଶୁଣିବାରୁ ଶେଷରେ ରାଗରେ ସତ୍ୟବ୍ରତ ଏକ ଗାମୁଛାରେ ଫାଶୀ ଲଗାଇ ଜୀବନ ହାରି ଦେଇଛନ୍ତି । ଗୁରୁତର ଅବସ୍ଥାରେ ସତ୍ୟବ୍ରତଙ୍କୁ ପ୍ରଥମେ ଖନ୍ତାପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ଘରକୁ ଅଣାଯାଇଥିଲା । ଏ ସମ୍ପର୍କରେ ଖବରପାଇ ଗୁରୁବାର ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ଘରକୁ ଯାଇ ପରିବାରଙ୍କୁ ଭେଟି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଥିଲେ । ପରେ ଗାଁ ଶ୍ମଶାନରେ ଅନ୍ତିମସଂସ୍କାର କରାଯାଇଥିଲା । ଅନ୍ୟପକ୍ଷରେ ବାପା ମନୋରଞ୍ଜନ ଏକ କମ୍ପାନୀରେ ସିକ୍ୟୁରୁଟି ଗାର୍ଡ଼ ଭାବେ କାର୍ଯ୍ୟ କରନ୍ତି ।
