ନିର୍ମାଣାଧୀନ ୧୯ନଂ. ରାଜ୍ୟରାଜପଥର ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ପାଇଁ ଚେତାବନୀ
ନୀଳଗିରି : ସଂପ୍ରତି ସେରଗଡ଼-ମିଦିନାପୁର ବୋର୍ଡର ୧୯ନଂ. ରାଜ୍ୟ ରାଜପଥ ର ସେରଗଡ଼ ରୁ ଝରଣାଘାଟି ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହି ରାସ୍ତା ନିର୍ମାଣ ସମୟରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ଆଶୁ ସମାଧାନ ପାଇଁ ସେରଗଡ଼-ନୀଳଗିରି ଅଂଚଳବାସୀଙ୍କ ପକ୍ଷରୁ ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କୁ ଆଜି ଦାବୀପତ୍ର ପ୍ରଦାନ କରାଯାଇଛି । ମରାମତି ଅଭାବରୁ ମରଣଯନ୍ତା ପାଲଟି ଯାଇଥିବା ଏହି ରାସ୍ତାର ତୁରନ୍ତ ମରାମତି ରାସ୍ତା ନିର୍ମାଣ ଆଳରେ ବହୁ ପୁରାତନ ଗଛ ଗୁଡ଼ିକୁ କଟାଯାଇଥିବା ବେଳେ ନୂତନ ବୃକ୍ଷ ରୋପଣ କରାଯାଉ ନ ଥିବା ରାସ୍ତା ପାଶ୍ୱର୍ ଗ୍ରାମବାସୀ ଚାଷୀମାନଙ୍କର ସ୍ୱାର୍ଥ ରକ୍ଷା ଅନୁଯାୟୀ ଜଳ ନିଷ୍କାସନ ଡ୍ରେନ ନିର୍ମାଣ କରାଯିବା, ସାଆନ୍ତା, ଗଡ଼ିଆମାଳ, ଆମ୍ବଡିହା ଠାରେ ୩ଗୋଟି ପୋଲ ନିର୍ମାଣ, ସାଆନ୍ତା ଛକ, ଗଡ଼ିଆମାଳ ଛକ, ଆମ୍ବଡିହା ଛକ , ବାଲିଗୋହିରୀ ଛକ ଠାରେ ଗଳା ପୋଲ ନିର୍ମାଣ, ଯାତ୍ରୀ ବିଶ୍ରାମଗାର ନିର୍ମାଣ, ରାସ୍ତା ନିର୍ମାଣ ପାଇଁ ଜୀବନଜୀବିକାରୁ ବଂଚିତ ହେଉଥିବା କ୍ଷୁଦ୍ର ବ୍ୟବସାୟୀ, ଦରିଦ୍ର ପରିବାର, ସରକାରୀ, ବେସରକାରୀ ଅନୁଷ୍ଠାନଗୁଡ଼ିକୁ ଥଇଥାନ ପୁନଃ ନିର୍ମାଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ ଏହି ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି । ଜିଲ୍ଲା ପ୍ରଶାସନ, ପୂର୍ତବିଭାଗ , ନୀଳଗିରି ଉପଖଣ୍ଡ ପ୍ରଶାସନ ଜରୁରୀକାଳିନ ଭିତିରେ ଉପରୋକ୍ତ ଦାବୀଗୁଡ଼ିକ ପୂରଣ ନ କଲେ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେରଗଡ଼, ନୂଆଗାଁ, ବିରୁଆଁ, ଗ୍ରାମ ପଂଚାୟତର ଜନସାଧାରଣ, ନୀଳଗିରି, ଏନ.ଏ.ସି.ର ଅଧିବାସୀଙ୍କ ପକ୍ଷରୁ ଆମରଣ ଅନଶନ ଓ ଗଣଧାରଣା ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆଜି ଶ୍ରମିକ ନେତା ବିଜୟ ପାତ୍ର, ପୂର୍ବତନ ସରପଂଚ ରବି ରାଉତ ପ୍ରମୁଖ ନୀଳଗିରି ଉପଜିଲ୍ଲାପାଳଙ୍କୁ ଏହି ଦାବୀପତ୍ର ପ୍ରଦାନ କରିଛନ୍ତି ।
