ବାଇକ୍କୁ ପଛ ପଟୁ ପିଟିଲା ଟ୍ରକ୍ : କମର୍ସ ଛାତ୍ରୀ ମୃତ, ଆରୋହୀ ଗୁରୁତର
ରେମୁଣା : ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନସ୍ତ ସେରଗଡ଼ ଓଭରବ୍ରିଜ୍ ନିକଟରେ ଏକ ବାଇକ୍କୁ ଧକ୍କା ଦେଲା ଆନ୍ଧ୍ରା ଟ୍ରକ୍ । ଦୁର୍ଘଟଣାରେ ବାଇକ୍ରେ ବସି ଥିବା ଜଣେ କଲେଜ ପଢୁଆ ଛାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଚାଳକ ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।
ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଫକୀରମୋହନ ଅଟୋନୋମସ୍ କଲେଜର କମର୍ସ ପଢୁଥିବା ସଦର ଥାନା ଅନ୍ତର୍ଗତ ବର୍ଦ୍ଧନପୁର ଗ୍ରାମର ଜୟଶ୍ରୀ ବାରିକ ସମ୍ପର୍କୀୟଙ୍କ ସହିତ ବାଇକ୍ (ନଂ. ଓଡ଼ି୦୧ଜେଡ୍-୯୦୮୨) ଯୋଗେ ଘରକୁ ଯାଉଥିବା ବେଳେ ସେରଗଡ଼ ଓଭରବ୍ରିଜ୍ ନିକଟରେ ଏକ ଆନ୍ଧ୍ରା ଟ୍ରକ୍ (ନଂ. ଡବ୍ଲ୍ୟୁବି୨୯ବି-୬୩୮୬) ପଛପଟୁ ଧକ୍କା ଦେଇଥିଲା । ବାଇକ୍ ଆରୋହୀ ଜଣକ ଭାରସାମ୍ୟ ହରାଇ ରାସ୍ତାର ବାମ ପାଶ୍ୱର୍କୁ ପଡ଼ି ଯାଇଥିବା ବେଳେ ଛାତ୍ରୀ ଜଣକ ଛିଟ୍କି ପଡ଼ି ଡାହାଣ ପାଶ୍ୱର୍ ରାସ୍ତାରେ ପଡ଼ିଥିଲେ । ଟ୍ରକ୍ଟି ଛାତ୍ରଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆରୋହୀ ଜଣକ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ପୋଲିସକୁ ଖବର ଦେବା ସହ ଆମ୍ବୁଲାନ୍ସ ଯୋଗେ ଗୁରୁତର ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଟ୍ରକ୍ଟିକୁ ଜବତ କରିଥିବା ବେଳେ ଡ୍ରାଇଭରକୁ ଅଟକାଇଥିବାର ଜଣାପଡ଼ିଛି ।
