୧୯ ବର୍ଷରୁ କମ୍ ମହିଳା ଟି-୨୦ ବିଶ୍ୱକପ୍ : ୫୪ ରନ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ
ପ୍ରିଟୋରିଆ : ୧୯ ବର୍ଷରୁ କମ୍ ମହିଳା ଟି-୨୦ ବିଶ୍ୱକପ୍ । ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ୍ ବିଶଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଜିତିଲା ଭାରତ । ମଙ୍ଗଳବାର ପ୍ରିଟୋରିଆ ସ୍ଥିତ ଏଲ୍ସି ଡିଭିଲିୟର୍ସ ଓଭାଲ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ୫୪ ରନ୍ରେ ଘରୋଇ ଦଳକୁ ପରାସ୍ତ କରିଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା କ୍ଷେତ୍ରରକ୍ଷଣ କରିଥିଲା ବେଳେ ୫ ୱିକେଟ୍ ବିନିମୟରେ ଭାରତ ୧୩୭ ରନ୍ ସଂଗ୍ରହ କରିଥିଲା।
ଭାରତୀୟ ଅଧିନାୟିକା ଶେଫାଳି ବର୍ମା ପ୍ରଥମ ବଲ୍ରେ ଆଉଟ୍ ହୋଇଯିବାରୁ ଦଳକୁ ପ୍ରାରମ୍ଭିକ ଝଟ୍କା ଲାଗିଥିଲା। ହେଲେ ଶ୍ବେତା ସେରାୱତ (୪୦) ଓ ସୌମ୍ୟା ତିୱାରୀ (୪୦) ଦ୍ବିତୀୟ ୱିକେଟ୍ରେ ୭୧ ରନ୍ର ଭାଗୀଦାରି କରି ଦଳକୁ ଦୃଢ ମୂଳଦୁଆ ଦେଇଥିଲେ। ରିଚା ଘୋଷ ୧୫, ହର୍ଲି ଗାଲା ୧୧, ଟିଟାସ୍ ସାଧୁ ୧୩ ରନ୍ ଦଳୀୟ ସ୍କୋରରେ ଯୋଡ଼ିଥିଲେ। ପ୍ରତିପକ୍ଷର କାଇଲା ରେଙ୍କେ ଓ ଅୟନ୍ଦା ଲୁବି ୨ ୱିକେଟ୍ ଲେଖାଏଁ ନେଇଥିଲେ। ୧୩୮ ରନ୍କୁ ପିଛା କରି ଘରୋଇ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ମାତ୍ର ୮୩ ରନ୍ରେ ଅଲ୍ଆଉଟ ହୋଇଥିଲା। କେବଳ ମାଡିସନ୍ ଲାଣ୍ଡ୍ସମ୍ୟାନ (୧୦), କାଇଲା ରେଙ୍କେ (୨୦) ଦୁଇ ଅଙ୍କରେ ପହଞ୍ଚିପାରିଥିଲେ। ଏମ୍ଡି ସବନମ୍ (୩/୧୫) ଓ ଅର୍ଚ୍ଚନା ଦେବୀ (୩/୧୪) ଭାରତକୁ ଜିତାଇବାରେ ବଡ଼ ଭୂମିକା ନେଇଥିଲେ।
