ଶ୍ରୀଲଙ୍କା ବିପକ୍ଷ ସିରିଜ ! ଜାଣନ୍ତୁ ଭାରତୀୟ ଦଳରେ କିଏ ପାଇଲେ ସ୍ଥାନ ଓ କିଏ ବାଦ
ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଘୋଷିତ ହୋଇଛି ଭାରତୀୟ ଦଳ। ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଦଳର ଅଧିନାୟକ କରାଯାଇଛି। ରୋହିତ ଶର୍ମା ଏକ ଦିବସୀୟ ଦଳର ନେତୃତ୍ୱ ନେବେ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ଟି-୨୦ ମୁକାବିଲାରୁ ବିଶ୍ରାମ ଦିଆଯାଇଛି। ଯଦିଓ ଉଭୟେ ଏକ ଦିବସୀୟ ଦଳରେ ସ୍ଥାନ ପାଇଛନ୍ତି। ଶିଖର ଧାୱନଙ୍କ ପରି ଅଭିଜ୍ଞ ଓପନର୍ ଦଳରେ ଅନ୍ତର୍ଭୁକ୍ତ ହୋଇନାହାଁନ୍ତି। ତାଙ୍କ ସ୍ଥାନରେ ଶୁଭମନ ଗିଲଙ୍କ ଉପରେ ଧ୍ୟାନ ଦିଆଯାଇଛି।
ଟି-୨୦ ଦଳରେ ଶିବମ ମାବୀଙ୍କୁ ସୁଯୋଗ ଦିଆଯାଇଛି। ଏହି ଡାହାଣ ହାତୀ ଦ୍ରୁତ ବୋଲର ତଥା ଅଲରାଉଣ୍ଡର ଘରୋଇ କ୍ରିକେଟରେ ଚମତ୍କାର ବୋଲିଂ କରିଛନ୍ତି। ସେ ଗତ ପାଞ୍ଚଟି ଘରୋଇ ମ୍ୟାଚରେ ୧୯ ୱିକେଟ୍ ନେଇଛନ୍ତି। ଏଥିରେ ଦୁଇଟି ରଣଜୀ ଏବଂ ତିନୋଟି ଲିଷ୍ଟ-ଏ ମ୍ୟାଚ୍ ଅନ୍ତର୍ଭୂକ୍ତ ରହିଛି। ସେହିପରି ଦ୍ରୁତ ବୋଲର ମହମ୍ମଦ ଶାମି ଦିନିକିଆ ଦଳକୁ ଫେରିଛନ୍ତି। ସେ ବାଂଲାଦେଶ ବିପକ୍ଷରେ ଦଳର ଅଂଶ ହୋଇଥିଲେ ମଧ୍ୟ ଏକ ନେଟ ସେସନ ସମୟରେ ଆହତ ହୋଇଥିଲେ।
ଆସନ୍ତା ଜାନୁଆରୀରେ ଭ୍ରମଣକାରୀ ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ଆସୁଛି। ଏଠାରେ ଭ୍ରମଣକାରୀ ଦଳ ଘରୋଇ ଦଳ ସହ ତିନୋଟି ଟି-୨୦ ଏବଂ ତିନୋଟି ଦିନିକିଆ ସିରିଜ୍ ଖେଳିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତା ୩ ଜାନୁୟାରୀରେ ମୁମ୍ବାଇ ଠାରେ ଅନୁଷ୍ଠିତ ହେବ। ଏହା ପରେ ୫ ଜାନୁଆରୀରେ ପୁଣେ ଏବଂ ୭ ଜାନୁଆରୀରେ ରାଜକୋଟ ଠାରେ ଖେଳାଯିବ। ପ୍ରଥମ ଦିନିକିଆ ୧୦ ଜାନୁଆରୀରେ ଗୌହାଟୀ ଠାରେ ଖେଳାଯିବ। ଏହା ପରେ ୧୨ ଜାନୁଆରୀରେ କୋଲକାତା ଏବଂ ୧୫ ଜାନୁଆରୀରେ ତ୍ରିଭେନ୍ଦ୍ରମ୍ ଠାରେ ମ୍ୟାଚ୍ ଅନୁଷ୍ଠିତ ହେବ।
ଟି-୨୦ ଭାରତୀୟ ଦଳ :
ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ ରକ୍ଷକ), ଋତୁରାଜ ଗାଇକୱାଡ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ, ୱାଶିଂଟନ୍ ସୁନ୍ଦର, ଯଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଉମରାନ ମଲିକ, ଶିବମ ମାବୀ ଏବଂ ମୁକେଶ କୁମାର।
ଦିନିକିଆ ଭାରତୀୟ ଦଳ :
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷାର ପଟେଲ, ମହମ୍ମଦ ସିରାଜ, ଉମରାନ ମଲିକ ଏବଂ ଅର୍ଶଦୀପ ସିଂହ।
ଭାରତ-ଶ୍ରୀଲଙ୍କା ସିରିଜ କାର୍ଯ୍ୟସୂଚୀ :
ପ୍ରଥମ ଟି-୨୦ ୩ ଜାନୁଆରୀରେ ମୁମ୍ବାଇ, ଦ୍ୱିତୀୟ ଟି-୨୦ ୫ ଜାନୁଆରୀରେ ପୁଣେ ଏବଂ ତୃତୀୟ ଟି-୨୦ ୭ ଜାନୁଆରୀରେ ରାଜକୋଟ ଠାରେ ଖେଳାଯିବ। ସେହିପରି ପ୍ରଥମ ଦିନିକିଆ ୧୦ ଜାନୁଆରୀରେ ଗୌହାଟି, ଦ୍ୱିତୀୟ ଦିନିକିଆ ୧୨ ଜାନୁଆରୀରେ କୋଲକାତା ଏବଂ ତୃତୀୟ ଦିନିକିଆ ୧୫ ଜାନୁଆରୀରେ ତ୍ରିଭେନ୍ଦ୍ରମ ଠାରେ ଖେଳାଯିବ।
