ଆସାମରେ ଯୁଦ୍ଧବିରତିକୁ ଆଉ ୩ ମାସ ପାଇଁ ବଢାଇଲା ଉଲଫା
ଗୁଆହାଟୀ : ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଆସାମରେ ଯୁଦ୍ଧବିରତିକୁ ଆଉ ତିନିମାସ ପାଇଁ ବଢାଇଲା ନିଷିଦ୍ଧ ଘୋଷିତ ବିଛିନ୍ନତାବାଦୀ ସଂଗଠନ ଉଲଫା (ସ୍ୱାଧୀନ)। ଉଲଫାର କମାଣ୍ଡର–ଇନ–ଚିଫ ପରେଶ ବରୁଆ ଗଣମାଧ୍ୟମକୁ ଏକ ଇମେଲ କରି କହିଛନ୍ତି ଯେ, ଆସାମରେ ମହାମାରୀ ସ୍ଥିତି ଏବେ ବି ସୁଧୁରି ନାହିଁ । ମହାମାରୀ ଯୋଗୁଁ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନିଜର ସାମାଜିକ ଦାୟିତ୍ବକୁ ନିର୍ବାହ କରି ଯୁଦ୍ଧବିରତିକୁ ଆଉ ତିନି ମାସ ପାଇଁ ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ କୌଣସି ଅପରେସନ କରାଯିବ ନାହିଁ ।
ସୂଚନା ଯେ, ଆସାମରେ ଗତ ମେ ୧୫ ତାରିଖ ଠାରୁ ଉଲଫା ଓ ସୁରକ୍ଷାବାହିନୀ ମଧ୍ୟରେ ଯୁଦ୍ଧ ବିରତି ଚାଲୁ ରହିଛି । ଯୁଦ୍ଧବିରତି ସଂପ୍ରସାରଣକୁ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ସ୍ୱାଗତ କରିବା ସହ ଏହା ଏକ ଉତ୍ସାହଜନକ ଘଟଣା ବୋଲି କହିଛନ୍ତି । ସେହିପରି ଆସନ୍ତା ଅଗଷ୍ଟ ୧୫ ପାଇଁ ବି ଉଲଫା ବନ୍ଦ ଡାକରା ଦେଇନାହିଁ । ଏହା ଏକ ସକାରାତ୍ମକ ପଦକ୍ଷେପ । ଅସ୍ଥାୟୀ ଯୁଦ୍ଧବିରତି ସ୍ଥାୟୀ ହେଉ ଓ ଉଲଫା ଅସ୍ତ୍ରଛାଡ଼ି ମୁଖ୍ୟଧାରାରେ ସାମିଲ ହେଉ ବୋଲି ସେ କହିଛନ୍ତି ।
