ରୁଷର ରକେଟ ମାଡରେ ୟୁକ୍ରେନର ଶିଶୁ ହସ୍ପିଟାଲ ଓ ପ୍ରସୂତି କେନ୍ଦ୍ର ସମ୍ପୂର୍ଣ୍ଣ ଧ୍ୱଂସ, ୧୭ ଗୁରୁତର
ନୂଆଦିଲ୍ଲୀ : ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ରୁଷ-ୟୁକ୍ରେନ୍ ଯୁଦ୍ଧ। ୟୁକ୍ରେନ୍କୁ ଦଖଲ କରିବା ପାଇଁ ସବୁ ସୀମା ଟପିଛି ରୁଷ। ଶିଶୁ ହସ୍ପିଟାଲକୁ ମଧ୍ୟ ଛାଡିନି ରୁଷ । ୟୁକ୍ରେନ୍ର ଶିଶୁ ହସ୍ପିଟାଲ ଉପରେ ରୁଷ ରକେଟ୍ ମାଡ କରି ଉଡାଇ ଦେଇଛି। ଏନେଇ ୟୁକ୍ରେନ୍ ଅଧିକାରୀମାନେ ସୂଚନା ଦେଇଛନ୍ତି । ରୁଷର ଆକ୍ରମଣରେ ଦକ୍ଷିଣ-ପୂର୍ବତଟିୟ ଅଞ୍ଚଳ ମାରିୟୁପୋଲରେ ଥିବା ଏକ ଶିଶୁ ହସ୍ପିଟାଲ ଓ ପ୍ରସୂତି କେନ୍ଦ୍ର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ୧୭ ଜଣ ସାଧାରଣ ନାଗରିକ ଗୁରୁତର ହୋଇଛନ୍ତି ।


ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ଓ ମହିଳା ଅଛନ୍ତି । ଶିଶୁ ଓ ମାତୃ ୱାର୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସେପଟେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି ମଧ୍ୟ ଟ୍ୱିଟ୍ କରି କହିଛନ୍ତି,‘ମାରିୟୁପୋଲରେ ଥିବା ମେଟରନିଟି ହସ୍ପିଟାଲ ଉପରେ ରୁଷ ସୈନିକମାନେ ସିଧାସଳଖ ଆକ୍ରମଣ କରିଛନ୍ତି । ଫଳରେ ଅଧିକାଂଶ ଲୋକ ଏବଂ ଛୋଟ ଛୁଆ ବିଲ୍ଡିଂର ଭଗ୍ନାବଶେଷ ତଳେ ଦବି ରହିଛନ୍ତି। ଆଉ କେତେ ଦିନ ଯାଏଁ ବିଶ୍ୱ ଏଭଳି ଆତଙ୍କବାଦକୁ ଅଣଦେଖା କରିବ? ତୁରନ୍ତ ଆକଶମାର୍ଗକୁ ବନ୍ଦ କରାଯାଉ।
ଆପଣଙ୍କ ପାଖରେ ଶକ୍ତି ଅଛି କିନ୍ତୁ ଲାଗୁଛି ଯେ, ଆପଣ ମାନବତା ହରାଇ ଦେଇଛନ୍ତି।’ ସେପଟେ ୟୁକ୍ରେନ୍ର ମାରିୟୁପୋଲରେ ଠାରେ ଥିବା ଶିଶୁ ହସ୍ପିଟାଲ୍ ଉପରେ ରୁଷର ଆକ୍ରମଣକୁ ନିନ୍ଦା କରିଛି ଜାତିସଂଘ। ଏହା ଏକ ଅତ୍ୟନ୍ତ ଅମାନୁଷିକ ଓ ବର୍ବରତା କାର୍ଯ୍ୟ ବୋଲି କହିଛି ଜାତିସଂଘ। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଏ ନେଇ ଏକ ଟ୍ୱିଟ୍ କରି ରୁଷକୁ ସମାଲୋଚନା କରିଛନ୍ତି ।
