ରୁଷରେ ପଶି ତୈଲ ଡିପୋକୁ ଉଡ଼ାଇଲା ୟୁକ୍ରେନ
କିଭ୍ : ରୁଷ ମାଟିରେ ପ୍ରବେଶ କରି ବଡ଼ଧରଣର ଏୟାର ଷ୍ଟ୍ରାଇକ କରିଛି ୟୁକ୍ରେନ । ପଶ୍ଚିମ ରୁଷରେ ଥିବା ତୈଳ ଡିପୋକୁ ୟୁକ୍ରେନ ସେନା ଏୟାର ଷ୍ଟ୍ରାଇକରେ ଉଡ଼ାଇ ଦେଇଥିବା ଭିଡିଓ ସାମ୍ନାକୁ ଆସିଛି । ରୁଷ ଫେବୃଆରୀ ୨୪ରୁ ୟୁକ୍ରେନ ଉପରେ ହମଲା କରୁଥିଲେ ମଧ୍ୟ କିଭ୍ କେବେ ହେଲେ ମସ୍କୋରେ ପ୍ରବେଶ କରିଥିବା ଖବର ମିଳି ନଥିଲା । ହେଲେ ଏବେ ପ୍ରଥମଥର ପାଇଁ ୟୁକ୍ରେନ ସେନା ହେଲିକପ୍ଟର ଦ୍ୱାରା ରୁଷ ଆକାଶ ମାର୍ଗରେ ପଶି ତୈଳ ଡିପୋ ଧ୍ୱଂସ କରିବାକୁ ସକ୍ଷମ ହୋଇଛନ୍ତି ।
ସାମ୍ନାକୁ ଆସିଥିବା ଭିଡିଓରେ ୟୁକ୍ରେନର ଦୁଇଟି ଯୁଦ୍ଧ ହେଲିକପ୍ଟରରୁ ଏକାଧିକ ମିସାଇଲ ମାଡ଼ କରାଯାଉଥିବା ଦେଖିବାକୁ ମିଳିଛି । ରୁଷର ବେଲଗୋରୋଡ ଠାରେ ଥିବା ତୈଳ ଡିପୋରେ ୟୁକ୍ରେନ ପକ୍ଷରୁ ଏମଆଇ-୨୪ ହେଲିକପ୍ଟର ଦ୍ୱାରା ଏୟାର ଷ୍ଟ୍ରାଇକ କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ହେଲିକପ୍ଟର କମ ଉଚ୍ଚତାରେ ଉଡ଼ାଣ କରି ରୁଷ ଆକାଶ ପଥରେ ପ୍ରବେଶ କରିଥିଲେ । ଏହାପରେ ଘନଘନ ମିସାଇଲ ମାଡ଼ କରିଥିଲେ । ସିକ୍ୟୁରିଟି କ୍ୟାମେରାରେ ହମଲାର ପୂରା ଦୃଶ୍ୟ କଏଦ ହୋଇଛି । ପ୍ରଥମେ ହେଲିକପ୍ଟର ମିସାଇଲ ମାଡ଼ ହୋଇଥିଲା । ଏହାପରେ ପୂରା ତୈଳ ଡିପୋରେ ବଡ଼ଧରଣର ବିସ୍ଫୋରଣ ହୋଇଥିଲା । ବେଲଗୋରୋଡ ରିଜନର ଗଭର୍ଣ୍ଣର ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ “ୟୁକ୍ରେନ ଆର୍ମିର ଦୁଇଟି ହେଲିକପ୍ଟର୍ରେ ହୋଇଥିବା ଆକ୍ରମଣ ଯୋଗୁ ଏଠାରେ ଥିବା ପେଟ୍ରୋଲ ଡିପୋରେ ନିଆଁ ଲାଗିଛି । ଦୁଇଟି ଯାକ ହେଲିକପ୍ଟର କମ ଉଚ୍ଚତାରେ ଭଡ଼ାଣ ଭରି ରୁଷ ସୀମା ଅତିକ୍ରମ କରିଥିଲେ । ଏହାପରେ ମସାଇଲ ମାଡ଼ କରିଛନ୍ତି । ଏହି ଘଟଣାରେ ଡିପୋରେ ଥିବା ଦୁଇ ଜଣ କର୍ମଚାରୀ ଆହୋତ ହୋଇଛନ୍ତି ।” ତେବେ ୟୁକ୍ରେନ ପକ୍ଷରୁ ହମଲାକୁ ଅଗ୍ରାହ୍ୟ କିମ୍ବା ସ୍ୱୀକାର କରାଯାଇନି ।
