‘ପରୀକ୍ଷା ପେ ଚର୍ଚ୍ଚା’ ! ଅନଲାଇନରୁ ଜ୍ଞାନ ଆହରଣ କରି ଅଫଲାଇନରେ ବ୍ୟବହାର କର: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆୟୋଜିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ସାରା ଦେଶର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଜୀବନରେ ଆଗକୁ ବଢିବାକୁ ହେଲେ ଖେଳିବାର ଆବଶ୍ୟକତା । ନଖେଳିଲେ ନିଜର ଅନ୍ତର୍ନିହିତ ପ୍ରତିଭା ବାହାରକୁ ଆସିବ ନାହିଁ । ସେହିପରି ପରୀକ୍ଷାକୁ ପର୍ବ ବୋଲି ଭାବିଲେ ଏହାର ମଜା ନେଇପାରିବା । ପରୀକ୍ଷା ପୂର୍ବରୁ ନିଜକୁ ଚାପମୁକ୍ତ ରଖିବା ନିହାତି ଜରୁରୀ । ଚାପମୁକ୍ତ ହୋଇ ପରୀକ୍ଷା ଦେବା ଉଚିତ । ଅଧିକ ଭାବିଲେ ମନରେ ଅଧିକ ଚାପ ବଢିବ । ପରୀକ୍ଷା ଦେଲା ବେଳେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । ଜାତୀୟ ଶିକ୍ଷାନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଶିକ୍ଷାନୀତିକୁ ସରକାର ନୁହଁନ୍ତି, ଶିକ୍ଷକ, ଅବିଭାବକ ଓ ଛାତ୍ରଛାତ୍ରୀ ବନେଇଛନ୍ତି । ଅନେକ ଚର୍ଚ୍ଚା ଓ ପରୀକ୍ଷାନିରୀକ୍ଷା ପରେ ଶିକ୍ଷାନୀତି ପ୍ରସ୍ତୁତ ହୋଇଛି । ଶିକ୍ଷାନୀତିରେ ଖେଳକୁଦକୁ ସାମିଲ କରାଯାଇଛିଫ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବ ଏବଂ ଭାରତକୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଅଗ୍ରସର କରାଇବ ବୋଲି ପ୍ରଧାମନ୍ତ୍ରୀ ପ୍ରକାଶ କରିଛନ୍ତି ।
‘ଜାତୀୟ ଶିକ୍ଷା ନୀତି’ ପ୍ରସ୍ତୁତି କରିବା ପୂର୍ବରୁ ଆମେ ୬/୭ ବର୍ଷ ଧରି ଭାରତର ସବୁ ପ୍ରାନ୍ତର ଶିକ୍ଷକ ଓ ଛାତ୍ରମାନଙ୍କ ସହ ବିଚାରବିମର୍ଶ କରିଛୁ । ଏହି ନୀତି ଭାରତର ନାଗରିକମାନଙ୍କଦ୍ୱାରା ପ୍ରସ୍ତୁତ କରାଯାଇଛି । କ୍ଷେତ୍ର ପରିବର୍ତନ କରିବାକୁ ଚାହୁଁଥିଲେ ‘ଜାତୀୟ ଶିକ୍ଷା ନୀତି’ ତୁମ୍ଭମାନଙ୍କୁ ନୂତନ କ୍ଷେତ୍ରଗୁଡ଼ିକର ମାର୍ଗଦର୍ଶନ କରାଇବ । ଜୀବନର ଅବିଚ୍ଛେଦ୍ୟ ଅଂଶ ହୋଇଥିବାରୁ ଖେଳକୁଦକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଦକ୍ଷତା ସମଗ୍ର ବିଶ୍ୱରେ ଅତୀବ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ, ପ୍ରଯୁକ୍ତିବିଦ୍ୟା କ୍ଷତିକାରକ ନୁହେଁ, ଏହାର ଫଳପ୍ରଦ ବ୍ୟବହାର କରାଯିବା ଉଚିତ । ଆଜି ଶିକ୍ଷାର୍ଥୀମାନେ ୩ଡି ପ୍ରିଂଟର୍ ବିକଶିତ କରି ବୈଦିକ ଗଣିତ ପାଇଁ ଆପ୍ ଚଳାଉଛନ୍ତି । ସେମାନେ ନିପୁଣତାର ସହ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅଭିଭାବକମାନଙ୍କୁ ଉଦ୍ଦେଶ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନଙ୍କ ପ୍ରତ୍ୟାଶା ଓ ଅପୂରଣୀୟ ଅଭିଳାଷ ସବୁକୁ ପିଲାମାନଙ୍କ ଉପରେ ଲଦି ଦିଅନ୍ତୁ ନାହିଁ । ପ୍ରତ୍ୟେକ ପିଲା ସ୍ୱତନ୍ତ୍ର । ପ୍ରତ୍ୟେକ ପିଲାଙ୍କର ବିଶେଷ ମେଧା ଏବଂ ବ୍ୟକ୍ତିଗତ ଅଭିଳାଷ ଅଛି । ସେମାନଙ୍କ ଉପରେ ଆପଣମାନଙ୍କ ଆଶାଆକାଂକ୍ଷା ସବୁକୁ ଲଦି ଦିଅନ୍ତୁ ନାହିଁ ।
ନୂଆଦିଲ୍ଲୀଠାରେ ଆଜି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କ ସହ ଆଲୋଚନା କରି ଶ୍ରୀ ମୋଦୀ କହିଛନ୍ତି ଦେଶକୁ ସମୟ ସହ ତାଳ ଦେଇ ପରିବର୍ତନ ହେବାକୁ ପଡ଼ିବ । ବିଂଶ ଶତାବ୍ଦୀର ପୁରୁଣାକାଳିଆ ଚିନ୍ତାଧାରା ଏକବିଂଶ ଶତାବ୍ଦୀରେ ଭାରତକୁ ବିକାଶ ଆଡ଼କୁ ଅଗ୍ରସର କରାଇ ପାରିବ ନାହିଁ । ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଯୁକ୍ତି ବିଦ୍ୟା କେବେ ମଧ୍ୟ ଏକ ଅଭିଶାପ ନୁହେଁ । ଏହାକୁ ସ୍ୱାଗତ କରିବା ଉଚିତ ଏବଂ ପ୍ରଭାବି ଢ଼ଙ୍ଗରେ ବ୍ୟବହାର କରିବା ଉଚିତ । ସେ କହିଛନ୍ତି ପରୀକ୍ଷା ପୂର୍ବରୁ ଚାପରେ ରହିବା ପିଲାମାନଙ୍କ ମଧ୍ୟରେ ଅତି ସାଧାରଣ ହୋଇଥାଏ । ତେଣୁ ଛାତ୍ରଛାତ୍ରୀମାନେ ମନେରଖିବା ଉଚିତ ଯେ ସେମାନେ ପରୀକ୍ଷା ପାଇଁ ଉପଯୁକ୍ତ ଭାବେ ପ୍ରସ୍ତୁତ ଅଛନ୍ତି କାରଣ ସେମାନେ ପୂର୍ବରୁ ଏଭଳି ଅନେକ ପରୀକ୍ଷା ଅତିକ୍ରମ କରିସାରିଛନ୍ତି । ପିତାମାତା ଓ ଶିକ୍ଷକଙ୍କ ଅପୂରଣୀୟ ସ୍ୱପ୍ନ ପିଲାମାନଙ୍କ ଉପରେ ଲଦିଦିଆଯିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପରୀକ୍ଷା ହେଉଛି ମଣିଷ ଜୀବନର ଅବିଚ୍ଛେଦ୍ୟ ଅଂଗ ଏବଂ ଏହା ବିକାଶ ପଥରେ ଅନ୍ୟ ଏକ ମାଇଲ୍ ଖୁଂଟ । ସେ କହିଛନ୍ତି ଭଗବାନ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିକୁ ଅନେକ ଦକ୍ଷତାରୁ ବଂଚିତ କରିଥାନ୍ତି, କିନ୍ତୁ ସେ ନିଜର ସବୁ ଦୁର୍ବଳତାକୁ ଶକ୍ତିରେ ପରିଣତ କରିପାରିଥାଏ । ନିଜ ମଧ୍ୟରେ କ’ଣ ସବୁ ଦୁର୍ବଳତା ଲୁଚି ରହିଛି, ତାହା ଚିହ୍ନଟ କରି ସେସବୁକୁ ଶକ୍ତିରେ ପରିଣତ କରିବା ଓ ବିକାଶ ପଥରେ ଅଗ୍ରସର ହେବାକୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ।
