My11Circle ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ ଦୁଇ ଓଡ଼ିଆ ଖେଳାଳି ମନୋନୀତ
ମୁମ୍ବାଇ : ପୁଣେର ଏମସିଏ ଷ୍ଟାଡିୟମରେ ଆସନ୍ତା ମେ ୨୩ ରୁ ମେ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା My11Circle ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ ଓଡିଶାର ଦୁଇଜଣ ଖେଳାଳିଙ୍କୁ ଚୟନ କରାଯାଇଛି । ମହିଳା କ୍ରିକେଟର ପ୍ରିୟଙ୍କା ପ୍ରିୟଦର୍ଶିନୀ ଏବଂ ସୁଜାତା ମଲ୍ଲିକ ଟି-୨୦ ଚ୍ୟାଲେଞ୍ଜ ପାଇଁ ଟ୍ରେଲବ୍ଲେଜର ଦଳରେ ସାମିଲ ହୋଇଛନ୍ତି ।

କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ସୋମବାର ସ୍ମୃତି ମନ୍ଧାନା, ହରମାନପ୍ରୀତ କୌର ଏବଂ ଦୀପ୍ତି ଶର୍ମାଙ୍କୁ ଯଥାକ୍ରମେ ସୁପରନୋଭାସ୍, ଟ୍ରେଲବ୍ଲେଜର ଏବଂ ଭେଲୋସିଟିର ଅଧିନାୟକ ଭାବରେ ଘୋଷଣା କରିଛି। ଏହି ତିନି ଦଳ ଆଗାମୀ ମହିଳା ଟି -୨୦ ଚ୍ୟାଲେଞ୍ଜରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଭାରତୀୟ ମହିଳା କ୍ରିକେଟର ସର୍ବୋତ୍ତମ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆର କେତେକ ଅଗ୍ରଣୀ ତାରକାଙ୍କ ସହ ମିଶିବେ । ଚଳିତ ବର୍ଷର ମହିଳା ଟି -୨୦ ଚ୍ୟାଲେଞ୍ଜରେ ସମୁଦାୟ ୧୨ଟି ଆନ୍ତର୍ଜାତୀୟ ଖେଳାଳି ପ୍ରତିଦ୍ୱନ୍ଦ୍ୱିତା କରିବେ । ବିସିସିଆଇ କହିଛି ଯେ ଅଲ-ଇଣ୍ଡିଆ ମହିଳା ଚୟନ କମିଟି ତିନିଟି ଦଳକୁ ବାଛିଛି – ପ୍ରତ୍ୟେକରେ ମୋଟ ୧୬ ଜଣ ସଦସ୍ୟ ଅଛନ୍ତି ।
