ଆଇପିଏଲ୍-୨୦୨୨ : ପଞ୍ଜାବକୁ ୧୭ ରନ୍ରେ ହରାଇଲା ଦିଲ୍ଲୀ
ମୁମ୍ବାଇ : ଆଇପିଏଲ୍-୨୦୨୨ର ୬୪ତମ ମ୍ୟାଚ୍ରେ ସୋମବାର ପଞ୍ଜାବ କିଙ୍ଗ୍ସକୁ ୧୭ ରନ୍ରେ ହରାଇଲା ଦିଲ୍ଲୀ । ଦ୍ବିତୀୟ ପାଳିରେ ପଞ୍ଜାବ ୧୬୦ ରନ୍ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୯ ୱିକେଟ ହରାଇ ୧୪୨ ରନ୍ କରି ପରାସ୍ତ ହୋଇଛି । ପଞ୍ଜାବ ପକ୍ଷରୁ ଜିତେଶ ଶର୍ମା ସର୍ବାଧିକ ୪୪ ରନ୍ କରିଥିବା ବେଳେ ଜନି ବେୟାରଷ୍ଟୋ ୨୮ ଓ ଶିଖର ଧାୱନ ୧୯ ରନ୍ କରିଥିଲେ । ଅନ୍ୟ ପଟେ ଦିଲ୍ଲୀ ପକ୍ଷରୁ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଶାର୍ଦ୍ଦୁଲ ଠାକୁର ୪ ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ, କୁଲଦୀପ ଯାଦବ ୨-୨ ୱିକେଟ ଓ ନର୍ଟେଜ୍ ଗୋଟେ ୱିକେଟ ନେଇ ଦିଲ୍ଲୀକୁ ବିଜୟ ଦେଇଥିଲେ । ଏହି ବିଜୟ ସହ ଦିଲ୍ଲୀ ୧୪ ପଏଣ୍ଟ ସଂଗ୍ରହ କରି ଟେବୁଲ ତାଲିକାର ୪ର୍ଥ ସ୍ଥାନରେ ରହିଛି ।
ଟସ୍ ଜିଣି ପଞ୍ଜାବର ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପଂଜାବ ତରଫରୁ ଆମନ୍ତ୍ରଣ ମିଳିବା ପରେ ଦିଲ୍ଲୀ ବ୍ୟାଟିଂ କରିଥିଲା। ଋଷଭ ପନ୍ତଙ୍କ ନେତୃତ୍ୱରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୫୯ ରନ୍ କରିଥିଲା। ଫଳରେ ପଂଜାବକୁ ୧୬୦ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା। ବିସ୍ଫୋରକ ବ୍ୟାଟର ଡେଭିଡ ଓ୍ଵାର୍ଣ୍ଣର ଓ ସରଫରାଜ ଖାନ୍ ଦିଲ୍ଲୀ କ୍ୟାପିଟାଲ୍ସର ପାଳି ଆରମ୍ଭ କରିଥିଲେ। ମାତ୍ର ଦିଲ୍ଲୀର ବ୍ୟାଟିଂ ବିପର୍ଯ୍ୟୟ ପ୍ରଥମ ବଲ୍ରୁ ହିଁ ଦେଖାଯାଇଥିଲା। ଓ୍ଵାର୍ଣ୍ଣର ମାତ୍ର ଗୋଟିଏ ବଲ୍ ସାମ୍ନା କରି ଆଉଟ୍ ହୋଇ ପାଭିଲିଅନ୍କୁ ଫେରିଯାଇଥିଲେ। କିନ୍ତୁ ସରଫରାଜ ଓ ମିଚେଲ ମାର୍ଶ ୨ୟ ଓ୍ଵିକେଟ୍ ପାଇଁ ୫୧ ରନ୍ ଯୋଡ଼ିଥିଲେ। ସରଫରାଜ ୧୬ ବଲ୍ ଖେଳି ୩୨ ରନ୍ କରିଥିଲେ। ସେ ୫ ଚୌକା ଓ ଗୋଟିଏ ଛକା ମାରିଥିଲେ। ଦିଲ୍ଲୀ ପାଇଁ ମିଚେଲ ମାର୍ଶ ସର୍ବାଧିକ ୬୩ ରନ୍ ସଂଗ୍ରହ କରିଥିଲେ। ସେ ୪୮ ବଲ୍ର ସାମ୍ନା କରି ୪ ଚୌକା ଓ ୩ ଛକା ମାରିଥିଲେ। ଲଲିତ ଯାଦବ ୨୪ ରନ୍, ଅକ୍ଷର ପଟେଲ ଅପରାଜିତ ୧୭ ରନ୍, ଋଷଭ ପନ୍ତ ୭ ରନ୍ କରିଥିଲେ। ପଂଜାବ ପକ୍ଷରୁ ଲିଆମ୍ ଲିଭିଂଷ୍ଟୋନ୍ ଓ ଅର୍ଶଦୀପ ସିଂହ ୩-୩ ଓ୍ଵିକେଟ୍ ନେଇଥିଲେ। କାଗିସୋ ରାବଡ଼ାଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା।
ଜବାବରେ ପଞ୍ଜାବ କିଙ୍ଗ୍ସ ଦୟନୀୟ ବ୍ୟାଟିଂ କରି ୯ ଓ୍ଵିକେଟ୍ ହରାଇ ୧୪୨ ରନ କରିବାକୁ ସକ୍ଷମ ହୋଇଛି। ଦଳ ୧୭ ରନରେ ଦିଲ୍ଲୀ ହାତରୁ ପରାଜିତ ହୋଇଛି। ଜିତେଶ ଶର୍ମା ୪୪ ରନର ଲଢୂଆ ଇନିଂସ ଖେଳିଥିଲେ ମଧ୍ୟ ଦଳ ପାଇଁ ଏହା ପର୍ଯ୍ୟାପ୍ତ ନଥିଲା। ରାହୁଲ ଚହର ୨୫ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଓପନର ଜୋନି ବେୟାରଷ୍ଟୋ ୨୮ ଏବଂ ଶିଖର ଧାଓ୍ଵନ ୧୯ ରନ କରିଥିଲେ ହେଁ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ବାକି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଶାର୍ଦ୍ଦୁଳ ଠାକୁର ମାପଚୁପ ବୋଲିଂ କରି ୩୬ ରନ ଦେଇ ୪ଟି ଓ୍ଵିକେଟ୍ ନେଇଥିଲେ। ଅକ୍ଷର ପଟେଲ୍ ଏବଂ କୁଲଦୀପ ଯାଦବ ପ୍ରତ୍ୟେକ ୧୪ ରନ ଦେଇ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ବୋଲରଙ୍କ ସାମୂହିକ ପ୍ରଦର୍ଶନ ବଳରେ ଦିଲ୍ଲୀ ଏହି ମୁକାବିଲାକୁ ୧୭ ରନରେ ଜିତି ନେଇଛି।
